fbpx

ଲଗାଣ ବର୍ଷାରେ ଭାଙ୍ଗିଲା ଦ୍ରୌପଦୀଙ୍କ ଘର, ତିନି ପ୍ରାଣୀ ଛତା ତଳେ ରାତି କାଟିଲେ

ଖଣ୍ଡେ ପଲିଥିନ ପାଇଁ ଦୌଡ଼ିଦୌଡ଼ି ଥକି ଗଲେଣି ବୃଦ୍ଧା

ଧର୍ମଗଡ଼, (ଭାସ୍କର ନ୍ୟୁଜ୍‌): ମୁଇ ଥୁରି ଥାରୀ ହେଇକି ଏ ଘରେ ସେ ଘରେ ରହୁଛେ । ରେତ ସାରା ଛତା ଗୋଟେ ଅଡ଼ି କରି ପୋ, ନାତି, ନାତେନ ଝରୋ ଝରୋ ବର୍ଷା ନେ ରାଏତ କଟାଲୁ’ । ଏଥିଲା ଏକ ଦୁର୍ଦ୍ଦିନରେ କାଳ କାଟୁ ଥିବା ଜଣେ ଅସହାୟ ବିଧବା ମହିଳାର କୋହଭରା କଣ୍ଠ ପରିଭାଷା । ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଞ୍ଚାୟତ ରଇନଗୁଡା ଗ୍ରାମର ଦ୍ରୌପଦୀ । ଗତ ଲଘୁଚାପ ଜନିତ ବର୍ଷାରେ ଘର ଭାଙ୍ଗି ପଡିଛି । ଦଦରା କୁଡ଼ିଆ ଭିତରେ ପୁଅ ବୋହୂ ନାତି ନାତୁଣୀ ରହି ଆସୁଥିଲେ । ଗଲା ଲଘୁଚାପ ବର୍ଷା ଯୋଗୁଁ ହଠାତ ଘର ଭାଙ୍ଗିଯିବାରୁ ଅଳ୍ପକେ ପରିବାର ରକ୍ଷା ପାଇଗଲେ ସତ ହେଲେ, ବେସାହାରା ପାଲଟି ଗଲା ପରିବାର । ସେ ଦିନଠୁ ବଡ଼ୁଅଙ୍କ ଘରେ ରହି ଆସୁଛନ୍ତି । ଅପରାହ୍ନ ବୟସରେ ଅଣ୍ଟା ଭିଡି ଭାଙ୍ଗି ଯାଇଥିବା କୁଡ଼ିଆକୁ ଝାଟି ମାଟି ଦେଇ ସଜାଇ ଥିଲେ । ହେଲେ କାଳ ସାଜିଲା ଚଳିତ ଲଘୁଚାପ ବର୍ଷା । ଏକା ଥରେ ଧୋଇ ନେଇଗଲା ସବୁ କିଛି । ଉପର ଛାତ ଦେଇ ଦିନରେ ସୂର୍ଯ୍ୟ ଆଉ ରାତି ଜହ୍ନ ଆଲୁଅ କିରଣ ଯାତାୟାତ ସହ ତାରାର ମିଞ୍ଜିମିଞ୍ଜି ସତେ ଯେମିତି ଘର ଉପରେ ବସା ବାନ୍ଧୁଛି ।

ଶନିବାର ରାତି ସାରା ନାତି ନାତୁଣୀଙ୍କ ସହ ଖଣ୍ଡିଏ ଛତା ଢାଙ୍କି ହୋଇ ରାତି ପାହିଲା ବୋଲି କହନ୍ତି ଦ୍ରୌପଦୀ । ଦୀର୍ଘ ୧୫ଦିନ ହେଲା ବେହେରା ଆର୍‌ଆଇ କାର୍ଯ୍ୟାଳୟକୁ ପଲିଥିନ ଖଣ୍ଡକ ପାଇଁ ଯିବା ଆସିବା କରି କରି ଥକି ଗଲେଣି । କେବଳ ସେଠାରୁ ଆଶ୍ୱାସ୍ତି ବଦଳରେ ଲଞ୍ଚନା ମିଳୁଥିବା ଅଭିଯୋଗ କରନ୍ତି । ଏପରିକି କୁକୁଡ଼ା ଆଣିଲେ କାଳେ ପଲିଥିନ ଦିଆଯିବ ବୋଲି କାର୍ଯ୍ୟାଳୟର କର୍ମଚାରୀ କହୁଥିବା ପ୍ରକାଶ କରନ୍ତି । ଗରିବ ଲୋକ କୋଉଠି ପାଇବ । ପଞ୍ଚାୟତରେ ମିଳିଥିବା ରାସନ କାର୍ଡ ଚାଉଳକୁ ପରଘରେ ବିକ୍ରି କରି ଖଣ୍ଡେ ପଲିଥିନ କିଣି ଛାତ ଉପରେ ଗୁଡେଇ ଥିବା ମଧ୍ୟ କହନ୍ତି ଦ୍ରୌପଦୀ । ପୂର୍ବରୁ ସରପଞ୍ଚ ମେମ୍ବରଙ୍କୁ ଘର ଖଣ୍ଡକ ପାଇଁ କହି କହି ନିରାଶ ହେଲେଣି ।

ଏବେ ଖଣ୍ଡେ ପଲିଥିନ ପାଇଁ ଦୌଡ଼ିଦୌଡ଼ି ଶେଷରେ ଥକି ଗଲେଣି । ପଲିଥିନ ବଦଳରେ କୁକୁଡ଼ା ମାଗୁଥିବା କଥାକୁ ବେହେରା ଆର୍‌ଆଇ ଅସ୍ୱୀକାର କରୁଥିବା ବେଳେ ନିଜେ ତଦନ୍ତ ପାଇଁ ଯାଇଥିବା କହନ୍ତି । ତଦନ୍ତରୁ ସେ ଘରେ କେହି ନ ଥିବା ବେଳେ କେମିତି ପଲିଥିନ ଦିଆଯିବ ବୋଲି ଓଲଟା ପ୍ରଶ୍ନ କରନ୍ତି । ଏପଟେ କିନ୍ତୁ ଗ୍ରାମବାସୀ ଘରେ ରହୁ ନ ଥିବା କଥାକୁ ଘୋର ନିନ୍ଦା କରିଛନ୍ତି । ଏଭଳି ଏକତରଫା ତଦନ୍ତ ଉପରେ ଉପରସ୍ତ ଅଧିକାରୀଙ୍କୁ ଅଭିଯୋଗ କରାଯିବ ବୋଲି ଗ୍ରାମର ଲହିତ ଦୁରିଆ, ଜୟରାମ ଦୁରିଆ, ତ୍ରିନାଥ ଦୁର୍ଗା ପ୍ରମୁଖ କହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଦ୍ରୌପଦୀଙ୍କୁ ପଲିଥିନ ଓ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.