fbpx

JNUରେ ସ୍କ୍ରିନିଂ ହେଲା ‘ବସ୍ତର-ଦି ନକ୍ସଲ ଷ୍ଟୋରୀ’, ସ୍କ୍ରିନିଂ ସମୟରେ କଟିଲା ବିଦ୍ୟୁତ

ନୂଆଦିଲ୍ଲୀ: ‘ଦି କେରଲ ଷ୍ଟୋରୀ’ର ସଫଳତା ପରେ ବିଶିଷ୍ଟ ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ଆଉ ଏକ ନୂତନ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ । ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ବସ୍ତର- ଦି ନକ୍ସଲ ଷ୍ଟୋରୀ’ ରିଲିଜ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି । ଏନେଇ ଫିଲ୍ମ ନିର୍ମାତାମାନେ ‘ବସ୍ତର- ଦି ନକ୍ସଲ ଷ୍ଟୋରୀ’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି । ନିକଟରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଏହି ଫିଲ୍ମର ସ୍କ୍ରିନିଂ ପାଇଁ ବିଶେଷ ଆୟୋଜନ କରାଯାଇଥିଲା । ତେବେ ଏହି ଫିଲ୍ମର ସ୍କ୍ରିନିଂ ସମୟରେ ବାଧା ସୃଷ୍ଟି ହୋଇଥିଲା ଯାହାକୁ ନେଇ ସେଠାରେ ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ବୁଧବାର ରାଷ୍ଟ୍ରୀୟ କଳା ମଞ୍ଚ ଦ୍ୱାରା ଜେଏନ୍‌ୟୁରେ ‘ବସ୍ତର- ଦି ନକ୍ସଲ ଷ୍ଟୋରୀ’ର ପ୍ରି ରିଲିଜ ସ୍କ୍ରିନିଂ ଆୟୋଜନ କରାଯାଇଥିଲା । ଏହି ଖାସ ସ୍କ୍ରିନିଂ ପାଇଁ ଫିଲ୍ମର ଟିମ୍ ସେଠାରେ ପହଞ୍ଚିଥିଲା । ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ସୁଦିପ୍ତୋ ସେନ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହି ଫିଲ୍ମରେ ମାଓବାଦୀ ଆତଙ୍କଗ୍ରସ୍ତ ଛତିଶଗଡ଼ ‘ବସ୍ତର’ର କାହାଣୀ ଦର୍ଶାଯାଇଛି । ସ୍କ୍ରିନିଂ ଆୟୋଜିତ କରିଥିବା ଛାତ୍ରଙ୍କ କହିବାନୁଯାୟୀ କୌଣସି ଅସାମାଜିକ ବ୍ୟକ୍ତି ଏବଂ ଜେଏନ୍‌ୟୁର ପ୍ରଶାସନ ଦ୍ୱାରା ବିଦ୍ୟୁତ କାଟ୍ କରାଯାଇଥିଲା । ଥରେ ନୁହେଁ ବରଂ ଦୁଇ ଥର ବିଦ୍ୟୁତ କାଟ୍ କରାଯାଇଥିଲା । ଏହା ସତ୍ତ୍ୱେ ଜେଏନ୍‌ୟୁ ଛାତ୍ରମାନେ ସମ୍ପୂର୍ଣ୍ଣ ଫିଲ୍ମ ସ୍କ୍ରିନିଂ ଦେଖିଥିଲେ । ଅପରପକ୍ଷରେ ରାଷ୍ଟ୍ରୀୟ କଳା ମଞ୍ଚର ସଂଯୋଜକ ଗୌରବଙ୍କ କହିବାନୁଯାୟୀ ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କୁ ଏହି ଫିଲ୍ମ ବହୁତ ଭଲ ଲାଗିଲା । ସେମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥିଲା । ତେବେ ବାମପନ୍ଥୀଙ୍କ ସତ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଜାଗର କରିବା ଏହି ଫିଲ୍ମ ସ୍କ୍ରିନିଂର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ମାର୍ଚ୍ଚ ୧୫ରେ ରିଲିଜ ହେବାକୁ ଥିବା ‘ବସ୍ତର- ଦି ନକ୍ସଲ ଷ୍ଟୋରୀ’ରେ ବସ୍ତରରେ ମାଓବାଦୀ ଆତଙ୍କ ଅଞ୍ଚଳ ବିଷୟରେ ଦର୍ଶାଯାଇଛି । ମାଓବାଦୀମାନେ ସେମାନଙ୍କ ସ୍ୱାର୍ଥ ହାସଲ ପାଇଁ କିପରି ନିରୀହ ଲୋକଙ୍କ ଫାଇଦା ଉଠାଇଥାନ୍ତି ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ଏହି ଫିଲ୍ମରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଶିଳ୍ପା ଶୁକ୍ଲା, ଯଶପାଲ ଶର୍ମା, ସୁବ୍ରତ ଦତ୍ତ, ରାଇମା ସେନ୍‌, ଇନ୍ଦିରା ତିୱାରୀ, କିଶୋର କଦମ ଆଦି ଅଭିନୟ କରିଛନ୍ତି ।

Get real time updates directly on you device, subscribe now.