fbpx
BJD SKY
BJD SKY

ରାଜଧାନୀରେ ଖାଲି ମଉଜ ହିଁ ମଉଜ: ହକି ବିଶ୍ୱକପ, ଡଟ୍ ଫେଷ୍ଟ, ଶିଶିର ସରସ ମେଳା, ତା’ପରେ ଖଣ୍ଡଗିରି ଯାତ୍ରା ଆରମ୍ଭ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ମଜା ନେବାର ଅପୂର୍ବ ସୁଯୋଗ ଆସିଛି । ଆସନ୍ତା ୧୩-୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଥିବା ବେଳେ ସେଥିପାଇଁ ରାସ୍ତାଘାଟ, ପଥପ୍ରାନ୍ତ, ପାର୍କକୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ଏଥିସହିତ ଦୀର୍ଘ ୩ ବର୍ଷ ପରେ ପୁଣି ଥରେ ରାଜଧାନୀକୁ ଫେରିଛି ପଥ ଉତ୍ସବ । ଶୀତୁଆ ସକାଳରେ ଜନସାଧାରଣ ନାଚ, ଗୀତର ମଜା ନେଉଛନ୍ତି । ଆସନ୍ତା ୧୫ ତାରିଖରେ ମଧ୍ୟ ପଥ ଉତ୍ସବ ଆୟୋଜିତ ହେବ ।

ସେହିପରି ହକି ବିଶ୍ୱକପ ଅବସରରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଡଟ ଫେଷ୍ଟର ଆୟୋଜନ କରାଯିବ । ଏହା ଆସନ୍ତା ୧୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଅନେକ ବଲିଉଡ ସିଙ୍ଗର ଓ କଳାକାର ସାମିଲ ହେବେ । ସେମାନଙ୍କର ମଧ୍ୟରେ ଉଦିତ ନାରାୟଣ, ଆଲକା ୟାଗ୍ନିକ, ସୁଖବିନ୍ଦର ସିଂହ, ଗୁରୁ ରାନ୍ଧୱା, ହର୍ଶଦୀପ କୌର, ନୀତି ମୋହନ, ଦିଶା ପଟାନୀଙ୍କ ପରି ବଲିଉଡର ଆଗଧାଡ଼ିର କଳାକାରମାନେ ଯୋଗଦେବେ । ଏଥିସହିତ ଅନ୍ତର୍ଜାତୀୟ ଫୁଡ ଫେଷ୍ଟିଭାଲ, ଭୁବନେଶ୍ୱର ଲାଇଭ୍, ଭୂ-ଫେଷ୍ଟୋ, ଫଟୋ ପ୍ରଦର୍ଶନୀର ଆୟୋଜନ କରାଯିବ ।

ମଜା ଓ ଖୁସିର ଉତ୍ସବର ଲିଷ୍ଟ ଏତିକିରେ ସରିନାହିଁ । ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡାଠାରେ ଶିଶିର ସରସ ମେଳାର ଆୟୋଜନ କରାଯିବ । ଏହି ମେଳାରେ ୩୫୦ଟି ଷ୍ଟଲରେ ୨୬ଟି ରାଜ୍ୟର ହସ୍ତଶିଳ୍ପ, ଖାଦ୍ୟ ଓ ହସ୍ତତନ୍ତ୍ର ସାମଗ୍ରୀ ବିକ୍ରି ହେବ । ଅନ୍ୟପକ୍ଷରେ ହକି ବିଶ୍ୱକପର ଶେଷ ସମୟରେ ଆରମ୍ଭ ହୋଇଯିବ ପ୍ରସିଦ୍ଧ ଖଣ୍ଡଗିରି ମେଳା । ଆସନ୍ତା ୨୮ ତାରିଖରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏଥିସହିତ ଜାନୁଆରୀ ୩୦ରୁ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରି କୁମ୍ଭମେଳାର ଆୟୋଜନ କରାଯିବ । ଏହି ମେଳାରେ ପ୍ରବଳ ଭିଡ଼ର ଆଶଙ୍କାକୁ ଦୃଷ୍ଟିରେ ରଖି ୩ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ବର୍ତ୍ତମାନ ସମୟରେ ରାଜଧାନୀ ବାସୀ କେବଳ ମଜା ଆଉ ମଜା ହିଁ ନେବେ । ହକି ବିଶ୍ୱକପ ପରି ଏକ ବିଶ୍ୱସ୍ତରୀୟ ଇଭେଣ୍ଟର ଆୟୋଜନ ଅବସରରେ ଦର୍ଶକମାନେ ଏକ ନିଆରା ଅନୁଭୂତି ସାଉଁଟିବାର ସୌଭାଗ୍ୟ ଲାଭ କରିବେ ।

Get real time updates directly on you device, subscribe now.