fbpx

BCCIର ଘୋଷଣା: ନିଯୁକ୍ତି ପାଇଲେ ୩ ଜଣିଆ କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଏକ ନୂଆ ଅପଡେଟ୍ ଆସିଛି । ବିସିସିଆଇ କ୍ରିକେଟ ଆଡଭାଇଜରୀ କମିଟି (ସିଏସି)ର ନୂଆ ସଦସ୍ୟଙ୍କ ନିଯୁକ୍ତି ନେଇ ଘୋଷଣା କରାଯାଇଛି । ଏହି ତିନିଜଣିଆ କମିଟିରେ ଅଶୋକ ମାଲହୋତା, ଯତିନ ପରାଞ୍ଜପେ ଓ ସୁଲକ୍ଷଣା ନାଇକ ସ୍ଥାନ ପାଇଛନ୍ତି ।

ଶ୍ରୀ ମାଲହୋତ୍ରା ଭାରତ ପାଇଁ ୭ଟି ଟେଷ୍ଟ ଓ ୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ । ଏଥିସହିତ ସେ ନିକଟରେ ଭାରତୀୟ କ୍ରିକେଟ ସଂଘର ସଭାପତି ଭାବେ ଦାୟିତ୍ୱ ନେଇଥିଲେ । ପରାଞ୍ଜପେ ଭାରତ ପାଇଁ ୪ଟି ଏକଦିବସୀୟ ମ୍ୟାଚ ଖେଳିବା ସହ ସିନିୟର ପୁରୁଷ ଚୟନ କମିଟିରେ ଏକ ଅଂଶ ଭାବେ ସ୍ଥାନ ପାଇଥିଲେ । ସେହିପରି ନାଇକ ଭାରତ ପାଇଁ ୨ଟି ଟେଷ୍ଟ, ୪୬ଟି ଦିନିକିଆ ଓ ୩୧ଟି ଟି-୨୦ ଖେଳିଛନ୍ତି । ସେ ଦେଶ ପାଇଁ ୧୧ ବର୍ଷ ଖେଳିଥିବା ବେଳେ ଆଗକୁ ତିନି ଜଣିବା ସିଏସିରେ କାର୍ଯ୍ୟ ଜାରି ରଖିବେ ।

ତେବେ ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରିବା ସିଏସିର ପ୍ରଥମ ଦାୟିତ୍ୱ ହେବ । ଏହି ଟାସ୍କ ଚଳିତ ମାସ ମଧ୍ୟଭାଗରେ ସମାପ୍ତ ହେବ । ଟି-୨୦ ପାଇଁ ନୂଆ କୋଚ ବାଛିବା, ଟି-୨୦ ପାଇଁ ନୂଆ ଅଧିନାୟକ ବାଛିବା, ଟି-୨୦ ବିଶ୍ୱକପର ସମୀକ୍ଷା କରିବା, ବର୍ତ୍ତମାନର କୋଚଙ୍କ ସମୀକ୍ଷା କରିବା, ସିଲେକ୍ସନ କମିଟିର ରୋଟେସନ ପଲିସୀ ସ୍ଥିର କରିବା ଆଦି ଦାୟିତ୍ୱ ସିଏସି ଉପରେ ନ୍ୟସ୍ତ ରହିବ । ନିକଟରେ ସମାପ୍ତ ହୋଇଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟବରଣ ପରେ ଚେତନ ଶର୍ମାନଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ବିସିସିଆଇ ଭାଙ୍ଗି ଦେଇଥିଲା । ଆଗାମୀ ବିଶ୍ୱକପ ପାଇଁ ନୂଆ ଖେଳାଳିଙ୍କୁ ନେଇ ଟିମ୍ ଗଠନ କରିବାକୁ ବିସିସିଆଇ ଯୋଜନା କରୁଛି ।

Get real time updates directly on you device, subscribe now.