fbpx

ରୋହିତ ଶର୍ମା କେଉଁ କାରଣ ପାଇଁ ଦିନିକିଆ ଅଧିନାୟକ ଭାବେ ଥିଲେ ପ୍ରଥମ ପସନ୍ଦ , କାରଣ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ନୂତନ ଅଧିନାୟକ ନିଯୁକ୍ତ କରାଯିବା ପରେ ଜାରି ବିବାଦର ଆପାତତଃ ପୂର୍ଣ୍ଣଛେଦ ପଡିଛି । କିନ୍ତୁ ଏହାକୁ ନେଇ କ୍ରିକେଟ୍ ଜଗତରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରୋହିତ ଶର୍ମାଙ୍କୁ ଗତ ମାସରେ ଟି-୨୦ ଦଳର ଅଧିନାୟକ କରାଯାଇଛି । ତାଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ୩-୦ରେ କ୍ଲିନ ସୁଇପ୍ କରିଛି । କିନ୍ତୁ କୋହଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସେହି ଦାବିକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ ଦାଦା କହିଥିଲେ ଯେ, ବୋର୍ଡ କୋହଲିଙ୍କୁ ଟି-୨୦ ଦଳର ଅଧିନାୟକତ୍ୱ ନଛାଡିବାକୁ ଅନୁରୋଧ କରିଥିଲା । ଏହା ପରେ ଗାଙ୍ଗୁଲି କୋହଲି ପ୍ରଶଂସକଙ୍କ ଟାର୍ଗେଟରେ ଆସିଥିଲେ । ଗାଙ୍ଗୁଲି ପୁଣି ଥରେ ରୋହିତଙ୍କୁ ସମର୍ଥନ କରି ସେ ଦିନିକିଆ ଅଧିନାୟକ ଭାବେ ଶ୍ରେଷ୍ଠ ପସନ୍ଦ ବୋଲି କହିଛନ୍ତି ।

ବ୍ୟାକଷ୍ଟେଜ୍ ୱିଥ୍ ବୋରିଆରେ ଗାଙ୍ଗୁଲି ରୋହିତଙ୍କ ବିଷୟରେ କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଟାଇଟଲ୍ ଜିତାଇବା ଏବଂ ଡେକାନ ଚାର୍ଜର୍ସ ସହିତ ଆଉ ଗୋଟିଏ ଟାଇଟଲ୍ ଜିତିବା ତାଙ୍କ କ୍ଷମତାକୁ ଦର୍ଶାଉଛି । ଯେତେବେଳେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଆଉ ନସମ୍ଭାଳିବାକୁ ନିଷ୍ପତ୍ତି ନେଲେ ସେହି ସମୟରେ ରୋହିତ ଶର୍ମା ହିଁ ସୀମିତ ଓଭର ଦଳ ପାଇଁ ସବୁଠୁ ପ୍ରକୃଷ୍ଟ ବିକଳ୍ପ ଥିଲେ । ତାଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡକୁ ୩-୦ରେ ହରାଇ ଦମଦାର ଆରମ୍ଭ କରିଛି । ତେଣୁ ରୋହିତ ଶର୍ମା ହିଁ ଭାରତୀୟ ଦିନିକିଆ ଦଳର ନେତୃତ୍ୱ ନେବାରେ ସବୁଠୁ ଯୋଗ୍ୟ ଖେଳାଳି । ଆଶା କରୁଛୁ ଆସନ୍ତା ବର୍ଷ ଏଥିରୁ ଭଲ ପରିଣାମ ଦେଖିବାକୁ ମିଳିପାରେ । ରୋହିତ ଚାପକୁ ମୁକାବିଲା କରିବାରେ ସିଦ୍ଧହସ୍ତ ବୋଲି ଗାଙ୍ଗୁଲି କହିଛନ୍ତି । ଅନ୍ୟପଟେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ସୀମିତ ଓଭର କ୍ରିକେଟରେ ଦମଦାର ପ୍ରଦର୍ଶନ କରିଛି । ମାତ୍ର ତାଙ୍କ ନେତୃତ୍ୱରେ ଭାରତ ଗୋଟିଏ ହେଲେ ଆଇସିସି ଟ୍ରଫ ଜିତି ପାରିନାହିଁ ।

 

Get real time updates directly on you device, subscribe now.