fbpx

BCCIର ରାଜନୀତି ପାଇଁ ବଳି ପଡ଼ିଲେ ବିରାଟ: ରଞ୍ଜୀବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିମ୍ ଇଣ୍ଡିଆର ଟେଷ୍ଟ ଟିମରୁ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବା ପରେ ବିଭିନ୍ନ ମହଲରୁ ଆସୁଛି ଆରୋପ ଓ ପ୍ରତ୍ୟାରୋପ । ଦକ୍ଷିଣ ଆଫ୍ରିକା ସିରିଜରେ ପରାଜୟ ପରେ ହଠାତ୍ ବିରାଟ ଏହି ନିଷ୍ପତ୍ତି ନେଇଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କ୍ରିଡ଼ାପ୍ରେମୀ । ଏଥିସହ ଅନେକ ପୂର୍ବତନ କ୍ରିକେଟରଙ୍କୁ ମଧ୍ୟ ଏହି ଘଟଣା ଚକିତ କରିଦେଇଛି । ତେବେ ଏହି କ୍ରମରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ମ୍ୟାନେଜର ରଞ୍ଜୀବ ବିଶ୍ୱାଳ ।

ରଞ୍ଜୀବ କହିଛନ୍ତି ଯେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଷଡ଼ଯନ୍ତ୍ର ପାଇଁ ବିରାଟ ବଳି ପଡ଼ିଲେ । ଟିମ୍ ଇଣ୍ଡିଆରେ ଏକ ବଡ଼ ଧରଣର ରାଜନୀତି ଚାଲିଛି, ତେଣୁ ବିରାଟଙ୍କ ଇସ୍ତଫା ପାଇଁ ବିସିସିଆଇ ଓ ଚୟନକର୍ତ୍ତାମାନେ ହିଁ ଦାୟୀ । କୋହଲି ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସହ ଅଧିନାୟକ ମଧ୍ୟ । ତେଣୁ ତାଙ୍କ ପ୍ରତି ଏପରି ଅସମ୍ମାନ ଭାରତୀୟ କ୍ରୀଡ଼ା ପାଇଁ ଶୁଭ ସଙ୍କେତ ନୁହେଁ । ଅଧିନାୟକ ପଦରୁ ଅବ୍ୟାହତି ନେଇ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା । ତେବେ ବିରାଟଙ୍କ ପରେ ପରବର୍ତ୍ତୀ ଅଧିନାୟକ ଦୌଡ଼ରେ ରୋହିତ ଶର୍ମା ହିଁ ଉପଯୁକ୍ତ ଖେଳାଳି ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ବିରାଟଙ୍କ ପରେ ବର୍ତ୍ତମାନ ଦାୟିତ୍ୱ କାହାକୁ ଦିଆଯିବ ସେନେଇ ବିସିସିଆଇ ବିଚାର କରୁଛି । ପୂର୍ବରୁ ରୋହିତଙ୍କୁ ଟି-୨୦ ଓ ଦିନିକିଆ ଦାୟିତ୍ୱ ଦିଆଯାଇଥିବାରୁ ତାଙ୍କୁ ପୁଣି ଥରେ ଦାୟିତ୍ୱ ଦେବା ସପକ୍ଷରେ ନାହିଁ ବିସିସିଆଇ । ଏପରି ସ୍ଥଳେ ଟେଷ୍ଟ ଟିମର ଅଧିନାୟକ କେଏଲ ରାହୁଲ ଏହି ଦୌଡ଼ରେ ସର୍ବାଗ୍ରେ ରହିଥିବା ଜଣାପଡ଼ିଛି । ଅନ୍ୟପଟେ ଅଜିଙ୍କ୍ୟ ରାହାଣେ ଫର୍ମରେ ନଥିବା କାରଣରୁ ସେ ଏହି ଦୌଡ଼ରେ ନାହାନ୍ତି ବୋଲି ସୂଚନା ମିଳିଛି । ସେହିପରି ୱିକେଟ କିପର ଋଷ ପନ୍ତଙ୍କୁ ଉପଅଧିନାୟକ ଦାୟିତ୍ୱ ପ୍ରଦାନ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.