fbpx

ଦିନିକିଆ ବିଶ୍ୱକପ ପାଇଁ BCCI କରୁଛି ନୂଆ ପ୍ଲାନ: କିଏ ପାଇବେ ସ୍ଥାନ? ଦେଖନ୍ତୁ ୧୫ ଜଣିଆ ଲିଷ୍ଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଆହୁରି ପ୍ରାୟ ୩ ମାସ ବାକି ଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ସେ ନେଇ ଆଲୋଚନା ଜୋର ଧରିଛି । ବର୍ତ୍ତମାନ ଭାରତୀୟ ଦଳରେ ଅନେକ ଷ୍ଟାର ଖେଳାଳି ସାମିଲ ଥିବା ବେଳେ ବିଶ୍ୱକପ ପାଇଁ କିଛି ଖେଳାଳିଙ୍କୁ ଚୟନ କରିବ ବିସିସିଆଇ । କିନ୍ତୁ ଏହି ତାଲିକାରେ ଅନେକ ଯୁବ ଖେଳାଳି ମଧ୍ୟ ସାମିଲ ଅଛନ୍ତି । ଯେଉଁମାନେ ଭାରତୀୟ ଦଳ ପାଇଁ ବିଶ୍ୱକପରେ ଏଣ୍ଟ୍ରି କରିପାରନ୍ତି ।

ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଅଭିଜ୍ଞ ଖେଳାଳିଙ୍କ ଉପରେ ଭାରତର ନଜର ରହିବ । ତେଣୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ଶାମୀ ଏବଂ ରବିନ୍ଦ୍ର ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାବ୍ୟତୀତ ଦଳର ଅନ୍ୟ ଷ୍ଟାର ଖେଳାଳି ଋଷଭ ପନ୍ତ, ଜଶପ୍ରୀତ ବୁମରାହ, କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ଆହତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ବୁମରାହ, ରାହୁଲ ଏବଂ ଶ୍ରେୟସ ମଇଦାନକୁ ପେରି ଅଭ୍ୟାସ କରୁଥିବାର ଦେଖିବାକୁ ମିଳିବା ପରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ମିଳିଛି । ଏହି ଷ୍ଟାର ଖେଳାଳି ବିଶ୍ୱକପ ପୂର୍ବରୁ କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ତେବେ ଆସନ୍ତୁ ନଜର ପକାଇବା କ’ଣ ରହିପାରେ ଭାରତର ବିଶ୍ୱକପ ଦଳ ।

ବର୍ତ୍ତମାନ ବିସିସିଆଇର ଚୟନକର୍ତ୍ତା ଅଜିତ ଅଗରକର ୱେଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି । ଏଠାରେ ଅଧିନାୟକ ରୋହିତ ଏବଂ କୋଚ୍ ଦ୍ରାବିଡଙ୍କ ସହ ସେ ଏସିଆ କପ୍ ଏବଂ ବିଶ୍ୱକପ ଦଳ ଉପରେ ଆଲୋଚନା କରିବେ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଟି-୨୦ ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବ ଭାରତର ଏହି ପ୍ଲାନରେ ସାମିଲ ହୋଇଛନ୍ତି । କିନ୍ତୁ ସେ ଟୁର୍ଣ୍ଣାମେଣ୍ଟ ପାଇଁ କେବଳ ରିଜର୍ଭ ଖେଳାଳି ଭାବରେ ରହିବେ ବୋଲି ଅନୁମାନ କରାଯାଉଛି । କାରଣ ଶ୍ରେୟସ ଫିଟ୍ ହୋଇଥିବାରୁ ତାଙ୍କର ଚୟନ ହେବାର ସମ୍ଭାବନା ଅଧିକ ରହିଛି । ସେହିପରି ଋଷଭ ପନ୍ତଙ୍କ ସ୍ଥାନରେ ୱିକେଟ କିପିଙ୍ଗ ପାଇଁ ଭାରତ ପାଖରେ ଦୁଇ ଜଣ ଷ୍ଟାର ପ୍ଲେୟର ସାମିଲ ଅଛନ୍ତି । ଇଶାନ କିଶାନ ଏବଂ ସଞ୍ଜୁ ସାମସନଙ୍କ ମଧ୍ୟରୁ ଭାରତୀୟ ଦଳ ଜଣଙ୍କୁ ସାମିଲ କରିପାରେ । ତେଣୁ ଏହାର ନିଷ୍ପତ୍ତି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ନିଆଯାଇପାରେ ।

ଅନ୍ୟ ପକ୍ଷରେ ଟିମ ଇଣ୍ଡିଆ ବିଶ୍ୱକପ ପାଇଁ ଶିଖର ଧୱନଙ୍କୁ ରୋହିତଙ୍କ ସାଥୀ ଓପନର ଭାବରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିସିସିଆଇର ଚୟନରୁ ସେ ଉପରେ ସନ୍ଦେହ ସୃଷ୍ଟି ହେଉଛି । ତେଣୁ ଓପନର ଭାବରେ ଶୁଭମନ ଗିଲ୍ ଭାରତର ପ୍ରଥମ ବିକଳ୍ପ ରହିଛନ୍ତି ଏବଂ ଦ୍ୱିତୀୟରେ ରହିଛନ୍ତି ନବାଗତ ଯଶସ୍ୱୀ ଜଏସ୍ୱାଲ । ତେବେ କେ.ଏଲ ରାହୁଲଙ୍କୁ ଦଳରେ ପଞ୍ଚମ ସ୍ଥାନରେ ଖେଳାଯାଇପାରେ ।

Get real time updates directly on you device, subscribe now.