କୁହୁଡ଼ିକୁ ନେଇ ସତର୍କ ରୁହନ୍ତୁ: ଭୁବନେଶ୍ୱର-କଟକ ପରିସ୍ଥିତି ବଢ଼ାଇଲା ଯାତ୍ରୀଙ୍କ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ପ୍ରବଳ ଗରମରେ ରାଜ୍ୟବାସୀ ଛଟପଟ ହେବା ପରେ ଦୁଇଦିନ ହେଲା ପାଗରେ ପରିବର୍ତ୍ତନ ଆସିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଛି । ତେବେ ଆଜି ସକାଳୁ ଟୁଇନ୍ ସିଟିରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଭୁବନେଶ୍ୱର-କଟକରେ ଜନସାଧାରଣ ଯାତାୟାତ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା ।

ଆଜି ଦ୍ୱୈତ ନଗରୀରେ କୁହୁଡ଼ି ପାଇଁ ଲୋକଙ୍କ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ କଟକରୁ ରାଜଧାନୀକୁ ଆସିଥିବା ବିଭିନ୍ନ ଅଫିସ କର୍ମଚାରୀମାନେ କୁହୁଡ଼ିରେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଅନ୍ୟ ସ୍ଥାନରୁ ଭୁବନେଶ୍ୱରକୁ ଆସୁଥିବା ଓ ଭୁବନେଶ୍ୱରରୁ ଅନ୍ୟ ସ୍ଥାନକୁ ଯାଉଥିବା ଯାତ୍ରୀମାନେ କୁହୁଡ଼ି କାରଣୁ ଭିଜି ଯାଇଥିଲେ । ରାସ୍ତାରେ କୁହୁଡ଼ି ଏତେ ମାତ୍ରାରେ ରହିଥିଲା ଯେ, ୨୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଇନଥିଲା ।

କୁହୁଡ଼ି ପାଇଁ ଗାଡ଼ି ଚାଳକମାନେ ବିଶେଷ କରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କୁହୁଡ଼ିରେ ରାସ୍ତାଘାଟ ଭଲରେ ଦେଖାଯାଉ ନଥିବାରୁ ଅଧିକ ବେଗରେ ଗାଡ଼ି ଚଳାଇ ଯିବା ସମୟରେ ଅନେକ ସମୟରେ ଦୁର୍ଘଟଣା ଜନିତ ପରିସ୍ଥିତି ଦେଖିବାକୁ ମିଳିଥାଏ । ପୂର୍ବରୁ ଏପରି ଅନେକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଗତ ସପ୍ତାହରେ ରାଜ୍ୟର ୫ଟି ଜିଲ୍ଲାରେ ଘଡ଼ିଘଡ଼ି ବର୍ଷା ନେଇ ରାଜଧାନୀ ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା ।