ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ମାସରୁ ରାଜ୍ୟର ସମସ୍ତ ରାସନ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି । ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି ସେମାନଙ୍କୁ ନୂଆ କାର୍ଡ ପ୍ରଦାନ କରାଯିବ । ବିଭାଗ ପକ୍ଷରୁ ନୂଆ ହିତାଧିକାରୀଙ୍କ ତର୍ଜମା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି । ନୂଆ ରାସନ କାର୍ଡ କେବେ ମିଳିବ ସେନେଇ ହିତାଧିକାରୀମାନେ ଚିନ୍ତାରେ ରହିଥିବା ବେଳେ ଏବେ ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।
ସୂଚନାଯୋଗ୍ୟ ଯେ, ରାସନ କାର୍ଡକୁ ନେଇ ଗତ ମାସରେ ମନ୍ତ୍ରୀ ପାତ୍ର କହିଥିଲେ ଯେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଯୋଗାଣକୁ ଆହୁରି ସ୍ୱଚ୍ଛ ଓ ଗତିଶୀଳ କରିବାକୁ ରାସନ କାର୍ଡରେ ହେଉଥିବା ଚୋରି ଧରିବାକୁ ସରକାର ଇ-କେୱାଇସି ଲିଙ୍କ କରିଛନ୍ତି । ଲୋକଙ୍କର ଇ-କେୱାଇସି ନ ସରିବା ପର୍ଯ୍ୟନ୍ତ ରାଜ୍ୟରେ ପଞ୍ଜିକରଣ ବନ୍ଦ ହେବ ନାହିଁ । ପାଖାପାଖି ୩ କୋଟି ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ଯୋଜନା ରହିଥିବା ବେଳେ ଆହୁରି ଦେଢ଼ କୋଟି ଲୋକଙ୍କର ପଞ୍ଜିକରଣ ବାକି ଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ।