fbpx

ପୁଣି ଫେରିପାରେ ମହାବଳ: ପୁଣି ଏକ ଜିଲ୍ଲାରୁ ବାଘର ପାଦ ଚିହ୍ନ ଠାବ କଲା ବନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ବାଘକୁ ନେଇ ରାଜ୍ୟରେ ଆତଙ୍କ ଜାରି ରହିଛି । ରାଜ୍ୟର କିଛି ସ୍ଥାନରେ ବାଘକୁ ନେଇ କିଛି ପ୍ରମାଣ ମିଳିଥିଲା । ତେବେ ଏହା ମଧ୍ୟରେ ଆସିଛି ପୁଣି ଏକ ଚିନ୍ତାଜନକ ଖବର । ରାଜ୍ୟର ପୁଣି ଏକ ସ୍ଥାନରୁ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ବାଘର ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ପୁଣି କୋକୁଆ ଭୟ ଖେଳି ଯାଇଛି ।

ସୂଚନା ମୁତାବକ, ନୂଆପଡ଼ା ଜିଲ୍ଲାର ଚନ୍ଦ୍ରପୁର ମଧୁକପଡ଼ା ଗ୍ରାମ ନିକଟରେ ମହାବଳ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି । ନିକଟରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଦହିଖାଲ ଅଞ୍ଚଳରେ ବାଘ ମଇଁଷି ଛୁଆକୁ ଖାଇ ଦେଇଥିଲା । ତା’ ପରଠାରୁ ବନ ବିଭାଗ ପକ୍ଷରୁ ବାଘର ଗତିବିଧି ଉପରେ ନଜର ରଖାଯିବା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ଲୋକମାନେ ଦେଖିନଥିବା ବେଳେ ବନ ବିଭାଗ କେବଳ ପାଦ ଚିହ୍ନ ଠାବ କରିଛି । ମହାବଳ ପୁଣି ଫେରୁଥିବା ନେଇ ଆଶଙ୍କ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ପ୍ରଥମ ସପ୍ତାହରେ ମୁନିଗୁଡ଼ା ବନାଞ୍ଚଳରେ ବାଘର ଆତଙ୍କ ଦେଖିବାକୁ ମିଳିଥିଲା । ବାଘ ଉକ୍ତ ଅଞ୍ଚଳରେ ବୁଲୁଥିବା ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହା ପୂର୍ବରୁ ଗଜପତି ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ବାଘର ଆତଙ୍କ ସୃଷ୍ଟି ହୋଇଥିଲା । ଗତ ମାସ ୨୮ ତାରିଖରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତର ମିଳିକାପାଙ୍ଗ ଜଙ୍ଗଲରେ ମହାବଳର ପାଦଚିହ୍ନ ଦେଖିବାକୁ ମିଳିଥିଲା । ସେହିପରି ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର, ଶିବପଦର ପଞ୍ଚାୟତର ବନ୍ଧଗୁଡ଼ା ଜଙ୍ଗଲ ଓ ମୁଡ଼ିଗୁଡ଼ା-ଅମ୍ବାଦଳା ଜଙ୍ଗଲରେ ମଧ୍ୟ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.