fbpx

ମୁଖ୍ୟମନ୍ତ୍ରୀ ହେବେନି ବାବା ବାଲକନାଥ! ସୋସିଆଲ ମିଡିଆରେ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି। ଅନେକ ପ୍ରାର୍ଥୀଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ରାଜ୍ୟ ମୁଖିଆ ହେବାକୁ କିଏ ଯୋଗ୍ୟ ହେବେ ସେନେଇ ଅଙ୍କ କଷୁଛନ୍ତି ଦଳର ହାଇକମାଣ୍ଡ। ବିଶେଷକରି ରାଜସ୍ଥାନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ କରିବ ସେନେଇ ସସପେନ୍ସ ବଢ଼ିବାରେ ଲାଗିଛି। ତେବେ ଚର୍ଚ୍ଚିତ ଚେହେରାମାନଙ୍କ ମଧ୍ୟରେ ବାବା ବାଲକନାଥଙ୍କ ନାମ ସବୁଠାରୁ ଆଗରେ ରହିଛି। କିନ୍ତୁ ବର୍ତମାନ ତାଙ୍କର ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଭିନ୍ନ କିଛି ସଂକେତ ଦେଉଛି। ଶନିବାର ସେ ନିଜେ ଏପରି କିଛି ଭାବନା ପ୍ରକାଶ କରିଛନ୍ତି, ଯାହାକୁ ନେଇ ମନେ ହେଉଛି ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ଦୌଡରୁ ବାହାରିଯାଇଛନ୍ତି।

ବାବା ବାଲକନାଥ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି କି, ଦଳ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକମାନେ ପ୍ରଥମ ଥର ପାଇଁ ଏମ୍‌ପି ଓ ବିଧାୟକ କରି ଦେଶ ସେବା କରିବାର ସୁଯୋଗ ଦେଇଛନ୍ତି। ନିର୍ବାଚନ ଫଳାଫଳ ବାହାରିବା ପରେ ମିଡିଆ ଏବଂ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚାକୁ ଅଣଦେଖା କରନ୍ତୁ। ମୁଁ ଏବେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଭିଜ୍ଞତା ହାସଲ କରିବାକୁ ଚାହୁଁଛି। ତେବେ ବାଲକନାଥଙ୍କ ଏହି ପୋଷ୍ଟରୁ ଏହା ଅନୁମାନ କରାଯାଇ ପାରେ, ଯେହେତୁ ସେ ରାଜନୀତିରେ ନୂଆ ତେଣୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ସୁଯୋଗ ଦେବାକୁ ମନା କରିଥାଇପାରେ। ତାଙ୍କ ବଦଳରେ ବୋଧେ ହାଇକମାଣ୍ଡ ଅଭିଜ୍ଞ ତଥା ଅନୁଭବୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ବିଶେଷ ଅଭିଜ୍ଞତା ନଥିବା କଥା କହି ଦଳ ତାଙ୍କ ମନ ବୁଝାଇ ପାରିଥା’ନ୍ତି।

ସୂଚନା ଥାଉକି, ବାବା ବାଲକନାଥ ୨୦୧୯ରେ ଭାଜପା ଟିକେଟରେ ଅଲୱର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଏମ୍‌ପି ଭାବରେ ନିର୍ବାଚିତ ହୋଇଥିଲେ। ଏଥର ଦଳ ତାଙ୍କୁ ଜିଲାର ତିଜାରା ଆସନରୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଥିଲା। ସେ କଂଗ୍ରେସ ପ୍ରାର୍ଥୀ ଇମ୍‌ରାନ ଖାନଙ୍କୁ ପରାସ୍ତ କରି ବିଜୟ ହୋଇଥିଲେ। ଏହା ପରେ ସେ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ନାମ ରାଜ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଅଛି। ଅନ୍ୟପଟେ ଗତକାଲି ମୁଖ୍ୟମନ୍ତ୍ରୀ ପଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ପାଖାପାଖି ୪ ଘଣ୍ଟା ଧରି ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଦ୍ୱିତୀୟ ବୈଠକରେ ସାମିଲ ହୋଇଥିଲେ। ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବୈଠକରେ ଚର୍ଚ୍ଚା ହୋଇଥିବା କୁହାଯାଉଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବାବା ବାଲକନାଥଙ୍କ ମାନସ ମନ୍ଥନ କରାଯାଇଛି।

 

Get real time updates directly on you device, subscribe now.