(Video) ହଠାତ୍ ଭୁଶୁଡିଲା ନିର୍ମାଣାଧୀନ କୋଠା, ଚାପି ହୋଇ ଚାଲିଗଲା 5ଜଣଙ୍କ ପ୍ରାଣ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏକ ନିର୍ମାଣଧୀନ କୋଠା ଭୁଶୁଡି ପଡିଛି । ଫଳରେ 5ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 13ଜଣଙ୍କୁ ଉଦ୍ଧାର କରାଯାଇଛି । ଉତ୍ତର ବେଙ୍ଗାଲୁରୁରେ ଘଟିଛି ଏହି ଦୁର୍ଘଟଣା । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଦୁଇରୁ 3ଜଣ ନିଖୋଜ ରହିଥିବା ସୂଚନା ରହିଛି । ଏଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଖବର ଅନୁସାରେ, ବାବୁସାପଲାୟାରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିଲା । ଫଳରେ ସ୍ଥାନେସ୍ଥାନେ ପାଣି ଜମି ରହୁଥିଲା । କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡିଛି କୋଠା ଭୁଶୁଡିବା ପଛରେ ଲଗାଣ ବର୍ଷା ନୁହେଁ ବରଂ ନିମ୍ନମାନର କାମ ଯୋଗୁଁ କୋଠାଟି ଅଚାନକ ଭୁଶୁଡି ପଡିଛି । ତେବେ କୋଠାଟି ଭୁଶୁଡିବା ସମୟର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ବିଲ୍ଡିଂ ପାଇଁ 28-30 ଏମଏମ ଲୁହା ଖାଡିର ଆବଶ୍ୟକତା ରହିଥିବା ବେଳେ ଏଥିରେ 18-20 ଏମଏମର ବ୍ୟବହାର ହୋଇଥିଲା । ନିମ୍ନମାନର ସିମେଣ୍ଟ ଏବଂ ବାଲି ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ସଙ୍ଗେସଙ୍ଗେ ପହଞ୍ଚିଥିଲା ପୋଲିସ । ସମସ୍ତଙ୍କୁ ଉଦ୍ଧାର କରାଯାଇ ବେଙ୍ଗାଲୁରୁ ନର୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ 5ଜଣ ଆଖି ବୁଜିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।