ଭାରତରେ ଲଞ୍ଚ ହେଲା weight loss drug, ଜାଣନ୍ତୁ ଦାମ୍ ଓ କେଉଁଠାରେ ମିଳିବ

ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ Eli Lilly ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୋଞ୍ଜାରୋ’(Mounjaro) ନାମକ ମେଡ଼ିସିନ ଲଞ୍ଚ୍‌ କରିଛି। ଏହି ଔଷଧକୁ ଭାରତର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସ୍‌ସିଓ) ଦ୍ୱାରା ମଞ୍ଜୁରୀ ମିଳିଛି। କମ୍ପାନୀ ଗୁରୁବାର ଏହି ସୂଚନା ଦେଇଛି।

ମୋଞ୍ଜାରୋର 5 MG ଭାଏଲର ମୂଲ୍ୟ 4,375 ଟଙ୍କା ଏବଂ 2.5 MG ଭାଏଲର ମୂଲ୍ୟ 3,500 ଟଙ୍କା ହେବ। ଏହି ସ୍ୱତନ୍ତ୍ର ମୂଲ୍ୟ ଭାରତରେ ରଖାଯାଇଛି ଯାହା ଦ୍ୱାରା ଅଧିକରୁ ଅଧିକ ଲୋକ ଏହି ଆଧୁନିକ ଚିକିତ୍ସା ପାଇପାରିବେ।

ବିଶ୍ୱବ୍ୟାପୀ Lillyର ମଧୁମେହ ଏବଂ ଓଜନ ହ୍ରାସ ଔଷଧର ଚାହିଦା ବୃଦ୍ଧି ପାଉଛି। ଭାରତରେ ଏହି ଔଷଧର ଶୁଭାରମ୍ଭ ଏକ ବଡ଼ ଅବସର। ଭାରତ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ଏଠାରେ ମୋଟାପଣ ଏବଂ ମଧୁମେହ ମାମଲା ବୃଦ୍ଧି ପାଉଛି। କମ୍ପାନୀ ଦାବି କରିଛି ଯେ ଏହି ଔଷଧ ମେଟାବୋଲିକ୍ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ଏବଂ ଓଜନ ହ୍ରାସ କରିବା ପାଇଁ ଏକ ନୂତନ ଏବଂ ପ୍ରଭାବଶାଳୀ ଉପାୟ ପ୍ରମାଣିତ ହୋଇପାରିବ।

Eli Lilly ଇଣ୍ଡିଆର ସଭାପତି ଓ୍ବିନ୍‌ସେଲୋ ଟକର କହିଛନ୍ତି, ଭାରତରେ ପ୍ରାୟ ୧୦.୧ କୋଟି ଲୋକ ମଧୁମେହ ରୋଗରେ ପୀଡ଼ିତ ଏବଂ ମୋଟାପଣ ହେଉଛି ମଧୁମେହ ରୋଗର ଏକ ପ୍ରମୁଖ କାରଣ। ଭାରତରେ ଡାଇବେଟିସ୍‌ ଏବଂ ମେଦ ବହୁଳତା ସମ୍ପର୍କିତ ସଚେତନତା ବୃଦ୍ଧି ଏବଂ ଚିକିତ୍ସା ବିକଳ୍ପଗୁଡ଼ିକୁ ଉନ୍ନତ କରିବା ପାଇଁ ଏଲି ଲିଲୀ କମ୍ପାନୀ ପକ୍ଷରୁ ସରକାର ଏବଂ ସ୍ବାସ୍ଥ୍ୟସେବା ଶିଳ୍ପଗୁଡ଼ିକ ସହ ମିଳିତ ଭାବେ କାମ କରାଯାଉଛି।

ମେଦ ବହୁଳତା ଏବଂ ମଧୁମେହରେ ପୀଡ଼ିତ ଥିବା ଲୋକଙ୍କୁ ସୁସ୍ଥ ଜୀବନ ଯାପନ ବିତାଇବା ପାଇଁ ସାହାଯ୍ୟ କରିବା ହେଉଛି କମ୍ପାନୀର ମୂଳ ଉଦ୍ଦେଶ୍ୟ। ମୌନଜାରୋ ଲୋକଙ୍କ ମୋଟାପଣକୁ କମାଇବା ସହ ଓଜନ ହ୍ରାସ କରିବାରେ ଏକ ନୂତନ ଏବଂ ପ୍ରଭାବଶାଳୀ ଉପାୟ ଭାବେ ପ୍ରମାଣିତ ହେବ ବୋଲି ଓ୍ବିନ୍‌ସେଲୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମୋଞ୍ଜାରୋର ରାସାୟନିକ ନାମ ଟିର୍ଜେପାଟାଇଡ୍ ଏବଂ ଏହା ବର୍ତ୍ତମାନ ୟୁକେ ଏବଂ ୟୁରୋପରେ ମଧୁମେହ ଏବଂ ଓଜନ ହ୍ରାସ ପାଇଁ ଏହି ନାମରେ ବିକ୍ରି ହୁଏ। ଆମେରିକାରେ ଏହା Zepbound ନାମରେ ଉପଲବ୍ଧ। ବିଶେଷଜ୍ଞଙ୍କ ମତରେ, ଆଗାମୀ ବର୍ଷଗୁଡ଼ିକରେ ମୋଟାପଣ ହ୍ରାସକାରୀ ଔଷଧର ବଜାର ବହୁତ ବଡ଼ ହେବାକୁ ଯାଉଛି। ସେମାନେ ଆକଳନ କରିଛନ୍ତି ଯେ ୨୦୩ ସୁଦ୍ଧା ଏହି ଔଷଧଗୁଡ଼ିକର ବିକ୍ରି $୧୫୦ ବିଲିୟନରେ ପହଞ୍ଚିପାରେ।