ଆଜିଠୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ, ଡ୍ରାଇଭର ଆନ୍ଦୋଳନ ପାଇଁ ତୈଳ ପରିବହନ ଠପ୍

ଆଜିଠୁ ରାଜ୍ୟରେ ସମସ୍ତ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖା ଦେଇପାରେ । ଏନେଇ ଆଶଙ୍କା କରିଛନ୍ତି ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ସମସ୍ତ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖା ଦେଇପାରେ । ଏନେଇ ଆଶଙ୍କା କରିଛନ୍ତି ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ଆଜି ଅନେକ ପେଟ୍ରୋଲ ପମ୍ପରେ ତେଲ ସରିଯିବ ବୋଲି ସେ କହିଛନ୍ତି । ଫଳରେ ଆଜିଠାରୁ ରାଜ୍ୟରେ ତେଲ କ୍ରାଇସିସ୍ ଦେଖିବାକୁ ମିଳିପାରେ ।

ଯଦି ତେଲ ପରିବହନ ବନ୍ଦ ରହିବ, ତେବେ ଜଟିଳ ସମସ୍ୟା ସୃଷ୍ଟି ହେବ । ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଏହି ସମସ୍ୟା ଉପୁଜିଛି। ଶୀଘ୍ର ଆନ୍ଦୋଳନ ପ୍ରତ୍ୟାହାର ନହେଲେ ପେଟ୍ରୋଲ ଡିଜେଲ ପରିବହନରେ ସମସ୍ୟା ଦେଖାଦେବ । ଫଳରେ ଲୋକମାନେ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେବେ ।

ସେପଟେ ଏହି ଖବର ଶୁଣିବା ପରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ ଜମିଛି । ଗତ ତିନି ଦିନ ହେଲାଣି ଡ୍ରାଇଭର ମହାସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି ।