fbpx

ତାଲିକାରୁ ବାଦ ପଡିଲେ ଶ୍ରିମୟୀ: ଏଥର ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ବନାମ ମନ୍ମଥ ରାଉତରାୟ

ଭୁବନେଶ୍ୱର: ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ପ୍ରଥମ ପର୍ଯ୍ୟାୟରେ ଦଳ ୭୧ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଏହି ତାଲିକାରେ ସମ୍ବଲପୁର ଓ ଭୁବନେଶ୍ୱର ଲୋକସଭାକୁ ନେଇ ଅଧିକ ଚର୍ଚ୍ଚା ଦେଖିବାକୁ ମିଳୁଛି। ଗୋଟିଏ ପଟେ ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ଭଳି ଦୁଇ ହେବିୱେଟ୍ ପ୍ରତିଦ୍ୱନ୍ଦୀତା କରିବାକୁ ଥିବା ବେଳେ ଅନ୍ୟପଟେ ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ବନାମ ମନ୍ମଥ ରାଉତରାୟଙ୍କ ଲଢେଇ ଦେଖିବାକୁ ମିଳିବ। ତେବେ କିଛି କ୍ଷଣ ପୂର୍ବରୁ ଦଳରେ ଯୋଗ ଦେଇଥିବା ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି। ଯେଉଁଠାରେ ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେପି। କିନ୍ତୁ ଗତ କିଛି ଦିନ ହେବ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଆଶାୟୀ ପ୍ରାର୍ଥୀ ଭାବେ ବୁଲାବୁଲି କରୁଥିବା ଶ୍ରିମୟୀ ମିଶ୍ରଙ୍କୁ ତାଲିକାରୁ ବାଦ କରିଛି ବିଜେଡି। ଶେଷ ମୁହୂର୍ତ୍ତରେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଯାହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଶ୍ରିମୟୀ ମିଶ୍ର ଏବେ କେଉଁଠୁ ନିର୍ବାଚନ ଲଢ଼ିବେ? ସମସ୍ତ ୨୧ ଲୋକସଭା ପ୍ରାର୍ଥୀ ମଧ୍ୟରୁ ବିଜେଡି ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ମାତ୍ର ୯ ଜଣଙ୍କ ନାମ ଘୋଷଣା କରିଛି। ତେଣୁ ଶ୍ରିମୟୀଙ୍କୁ ବିଜେଡି ହୁଏତ ଆଉ କେଉଁଠୁ ପ୍ରାର୍ଥୀ କରିପାରେ।

ତେବେ ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କ୍ଷେତ୍ର ଥିବା ବେଳେ ଅପରାଜିତାଙ୍କୁ ଟକର ଦେବା ପାଇଁ ବିଜେଡି ଏକ ଖାସ ପ୍ରାର୍ଥୀ ଅନୁସନ୍ଧାନରେ ରହିଥିଲା। କିନ୍ତୁ ସେହିଭଳି ପ୍ରାର୍ଥୀ ନ ମିଳିବାରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଶ୍ରିମୟୀ ମିଶ୍ରଙ୍କୁ ନିଯୁକ୍ତ କରିଥିଲା ବିଜେଡି। ଏହାପରେ ଶ୍ରିମୟୀ ଆଶାୟୀ ପ୍ରାର୍ଥୀ ଭାବେ ବିଭିନ୍ନ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଆଉ ଏସବୁକୁ ନେଇ ଚର୍ଚ୍ଚା ହେଉଥିଲା ଯେ ଭୁବନେଶ୍ୱରରେ ଏଥର ଅପରାଜିତା ବନାମ ଶ୍ରିମୟୀଙ୍କ ଲଢେଇ ଦେଖିବାକୁ ମିଳିବ। କିନ୍ତୁ ଆଜି ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଭୁବନେଶ୍ୱରରୁ ପ୍ରାର୍ଥୀ କରିଛି ବିଜେଡି।

ସୂଚନାଯୋଗ୍ୟ, ଗତ ଲୋକାସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନରୁ ଅପରାଜିତ ଷଡଙ୍ଗୀ ୪ ଲକ୍ଷ ୮୬ ହଜାର ୯୯୧ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ୪ ଲକ୍ଷ ୬୩ ହଜାର ୧୫୨ ଭୋଟ ପାଇଥିଲେ। ଅର୍ଥାତ ୨୩ ହଜାର ୮୩୯ ଭୋଟରେ ଅପରାଜିତ ବିଜୟୀ ହୋଇଥିଲେ। ଏଥର ଅପରାଜିତା ଓ ମନ୍ମଥଙ୍କ ମଧ୍ୟରେ ଲଢ଼େଇ ହେବ।

:

Get real time updates directly on you device, subscribe now.