fbpx

ମାଛଧରାଳୀଙ୍କ ଜାଲରେ ପଡିଲା ବିରାଟ କୁମ୍ଭୀର, ଧରିପାରିଲେନି ବନ ବିଭାଗ କି ଅଗ୍ନିଶମ କର୍ମଚାରୀ : ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ଆତଙ୍କ

ବାରଙ୍ଗ(ଭାସ୍କର ନ୍ୟୁଜ୍‌): କାଠଯୋଡୀ ନଦୀକୁ ମାଛ ଧରାଳୀ ମାଛ ଧରିବାକୁ ଯାଇଥିବାବେଳେ ତାଙ୍କ ଜାଲରେ ପଡିଲା ବିରାଟକାୟ କୁମ୍ଭୀର । ଖବରରୁ ପ୍ରକାଶ କଟକ ମହାନଗର ନିଗମ ୩ ନମ୍ବର ୱାର୍ଡ ଅଧିନସ୍ଥ ବିଦ୍ୟାଧରପୁର ଗ୍ରାମର କେତେକ ମାଛ ଧରାଳୀ ଶୁକ୍ରବାର ଦିନ ଭୋର ସମୟରେ ଡଙ୍ଗା ସାହାଯ୍ୟରେ କାଠଯୋଡୀ ନଦୀକୁ ମାଛ ଧରିବାକୁ ଯାଇଥିଲେ । ଫାସୀ ଜାଲରେ ମାଛ ଧରୁଥିବା ସମୟରେ ତାଙ୍କ ଜାଲରେ କୁମ୍ଭୀର ଲାଗିଥିବା ସେ ଦେଖିବାକୁ ପାଇଥିଲେ । ଜାଲକୁ କ୍ଷିପ୍ର ଗତିରେ କୁମ୍ଭୀରଟି ଟାଣିଥିଲା । ଫଳରେ ସେମାନେ ଜାଲକୁ ହାତରୁ ଖସାଇ ଦେଇ ଜୀବନ ବିକଳରେ କୂଳକୁ ପଳାଇଇ ଆସିଥିଲେ ।

ଫାସୀ ଜାଲ ନବୁଡିବା ପାଇଁ ସେଥିରେ ବଡ ବଡ ସୋଲ ଓ ଡବି ଲଗାଯାଇଥାଏ । ଜାଲଟିର ମୂଲ୍ୟ ପ୍ରାୟ ୧୦ହଜାର ଟଙ୍କା ହୋଇଥିବାରୁ କୁମ୍ଭୀର ଟାଣି ଟାଣି ଜାଲକୁ ନେଇଯାଉ ଥିବାବେଳେ ନଦୀ କୂଳେ କୂଳେ ମାଛ ଧରାଳୀ ସୋଲ ଓ ଡବିକୁ ଅନୁସରଣ କରି ତାର ପିଛା କରିଥିଲେ । ଜାଲଟି ଭାସି ଭାସି ପ୍ରାୟ ୧ କିଲୋମିଟର ଯିବା ପରେ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ ବାଲିଘାଟ ନିକଟରେ ଜାଲଟି ଲାଗିଥିଲା । ଏହି ଘଟଣା ଚାରିଆଡେ ପ୍ରଘଟ ହେଲା ପରେ କୁମ୍ଭୀରଟିକୁ ଦେଖିବା ପାଇଁ ସେଠାରେ ପ୍ରବଳ ଜନସମାଗମ ହୋଇଥିଲା ।

ଖବର ପାଇ ଘଟଣାସ୍ଥଳରେ ନନ୍ଦନକାନନର ଏସିଏଫ୍‌ ରଶ୍ମିରଞ୍ଜନ ସ୍ୱାଇଁ, ବାୟୋଲୋଜିଷ୍ଟ ରାଜେଶ ମହାପାତ୍ର, ଫରେଷ୍ଟ ଗାର୍ଡ ରାମ ଚନ୍ଦ୍ର କାଣ୍ଡି ଓ ପ୍ରକାଶ ମଣ୍ଡଳ ପହଞ୍ଚି ଥିଲେ । ତେବେ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ କୁମ୍ଭୀର ଧରାଳୀମାନେ ପାଣି ଭିତରକୁ ନଯାଇ ଡ୍ରୋନ କ୍ୟାମେରା ସାହାଯ୍ୟରେ ଅନୁସରଣ କରିଥିଲେ ମଧ୍ୟ ତାର ପତ୍ତା ପାଇନଥିଲେ । ପରେ ପରେ ବାରଙ୍ଗ ଅଗ୍ନିଶମ ବିିିଭାଗର କର୍ମଚାରୀ ମଧ୍ୟ ପହଞ୍ଚିଥିଲେ । ସେମାନେ ଜୀବନକୁ ବାଜି ଲଗାଇ ନଦୀର ପ୍ରଖର ସ୍ରୋତରେ ବୋର୍ଟ ସାହାଯ୍ୟରେ ଖୋଜି ଥିଲେ । ମାତ୍ର ସେମାନେ ମଧ୍ୟ କୁମ୍ଭୀରର କୌଣସି ପତ୍ତା ପାଇନଥିଲେ । ତେବେ କୁମ୍ଭୀର ଆତଙ୍କ ଏବେ ସ୍ଥାନୀୟ ବାସୀନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.