fbpx
BJD SKY
BJD SKY

ରୋଚକ ସ୍ଥିତିରେ କଟକ ଲୋକସଭା ଆସନ: ଭର୍ତ୍ତୃହରି ଓ ସଂତୃପ୍ତଙ୍କ ମଧ୍ୟରେ କଡ଼ା ମୁକାବିଲା, ରାଜନୀତିରେ ଜଣେ ନବୀନ- ଜଣେ ପ୍ରବୀଣ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତେବେ ବର୍ତ୍ତମାନ ସମୟରେ ରାଜ୍ୟର ତିନି ପ୍ରମୁଖ ରାଜନେତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଅନ୍ୟପଟେ ନେତାମାନେ ଦଳ ବଦଳ କରୁଥିବାରୁ ସେମାନଙ୍କ ପାଇଁ ଅନେକ ଆସନରେ ଦଳୀୟ ଭୋଟ ବିଭାଜନ ହେବାର ସମ୍ଭାବନା ରହିଛି । ସେଥିପାଇଁ ଅଧିକାଂଶ ସିଟରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।

ଏଥର ବିଜେପି ତରଫରୁ ଭର୍ତ୍ତୃହରି ମହତାବ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ରାଜନୀତିରେ ଭର୍ତ୍ତୃହରିଙ୍କର ୨୬ ବର୍ଷର ଅଭିଜ୍ଞତା ରହିଥିବା ବେଳେ କର୍ପୋରେଟ୍ ଜଗତର ବଡ଼ ଚେହେରା ସଂତୃପ୍ତ ପ୍ରଥମ ଥର ଲୋକସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ । ରାଜନୀତିରେ ଜଣେ ନବୀନ ହୋଇଥିବା ବେଳେ ଜଣେ ପ୍ରବୀଣ । ଜନତା ଯାହାକୁ ବାଛିବେ ସେ ହେବେ କିଙ୍ଗ । ଜନତାଙ୍କ ଜନାଦେଶ ଆଗରେ ସବୁବେଳେ ଅର୍ଥବଳ, ବାହୁବଳ, ଅଭିଜ୍ଞତା ହାର ମାନିଥାଏ । ତେଣୁ କଟକବାସୀ ଏଥର କାହାକୁ ବାଛିବେ ତାହା ଜଣାପଡ଼ିବ ।

ଗତ ଲୋକସଭା ନିର୍ବାଚନରେ ଭର୍ତ୍ତୃହରି ବିଜେଡି ତରଫରୁ ପ୍ରାର୍ଥୀ ହୋଇ ୧ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ । ଭର୍ତ୍ତୃହରିଙ୍କୁ ୫ ଲକ୍ଷରୁ ଅଧିକ ଭୋଟ୍ ମିଳିଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଓଡ଼ିଶାର ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ୪ ଲକ୍ଷରୁ ଅଧିକଭୋଟ୍ ମିଳିଥିଲା । ଚଳିତ ବର୍ଷ ଏହି ଆସନର ପ୍ରାର୍ଥୀ ବଦଳିଥିବା ବେଳେ ଦୁଇ ଦଳର ପ୍ରାର୍ଥୀମାନେ ନିଜ ନିଜ ରଣନୀତିରେ ଆଗକୁ ବଢ଼ିବେ । ଏହି ଆସନରେ ଭର୍ତ୍ତୃହରିଙ୍କର ଏକ ବଡ଼ ସଂଗଠନ ରହିଥିବା ବେଳେ ନୂଆ ସଂଗଠନ ତିଆରି ପାଇଁ ସଂତୃପ୍ତଙ୍କୁ ଦଳର ବରିଷ୍ଠ ନେତାମାନେ ସହଯୋଗ କରିବେ ।

ଗତ ନିର୍ବାଚନରେ କଟକ ଲୋକସଭାର ବାରବାଟୀ-କଟକ ଆସନକୁ ଛାଡ଼ିଦେଲେ ଅନ୍ୟସମସ୍ତ ବିଧାନସଭା ସିଟ୍ ବିଜେଡି ଅକ୍ତିଆର କରିଥିଲା । ମାତ୍ର ଏଥର ଭର୍ତ୍ତୃହରି ବିଜେପିରେ ଥିବାରୁ ତାଙ୍କୁ ଏଥିପାଇଁ ଧ୍ୟାନ ଦେବାକୁ ପଡ଼ିବ । ଅନେକ ସମୟରେ ଭୋଟରମାନେ ଦଳ ଅପେକ୍ଷା ନେତାଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏଠାରେ କ’ଣ ଘଟିବ ତାହା ସମୟ ଆସିଲେ ଜଣାପଡ଼ିବ । କଟକ ଆସନରୁ ୬-୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ଏଥର କିପରି କମାଲ କରୁଛନ୍ତି ଓ କର୍ପୋରେଟ କ୍ଷେତ୍ରରୁ ପଲିଟିକ୍ସକୁ ଲମ୍ଫ ପ୍ରଦାନ କରିଥିବା ସଂତୃପ୍ତ କି କରିସ୍ମା ଦେଖାଉଛନ୍ତି ତାହା ଜଣାପଡ଼ିବ ।

Get real time updates directly on you device, subscribe now.