fbpx

ସମ୍ବଲପୁର ଲୋକସଭା ଆସନ ଉପରେ ସଭିଙ୍କ ନଜର: ମେ ୨୫ରେ ଧର୍ମେନ୍ଦ୍ର-ବବି-ନଗେନ୍ଦ୍ରଙ୍କ ଭାଗ୍ୟ ଲେଖିବେ ଭୋଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ମେ ୨୫ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଭୋଟିଂ ହେବ । ସେଥିମଧ୍ୟରୁ ସମ୍ବଲପୁରରେ ହେବାକୁ ଥିବା ହାଇଭୋଲଟେଜ୍ ଲଢ଼େଇ ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ରହିଛି ।

ସମ୍ବଲପୁର ଆସନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡିର ମଙ୍ଗ ଧରିଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତେବେ ଧର୍ମେନ୍ଦ୍ର ଓ ବବିଙ୍କ ମଧ୍ୟରୁ କିଏ ବାଜିମାତ କରିବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏହି ଆସନର ଲଢ଼େଇ ଆହୁରି ରୋଚକପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ନଗେନ୍ଦ୍ର ଜଣେ ଅଭିଜ୍ଞ ରାଜନେତା ହୋଇଥିବାରୁ ସମ୍ବଲପୁର ଆସନରେ ବବି ଓ ଧର୍ମେନ୍ଦ୍ରଙ୍କୁ ସେ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ର ଦୀର୍ଘ ବର୍ଷ ଧରି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ରହିଥିବା ବେଳେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ବିଜେଡିର ୩ ନମ୍ବର ପାୱାରଫୁଲ ନେତା ଭାବେ ପରିଚିତ । ସେହିପରି ନଗେନ୍ଦ୍ରଙ୍କ ପରି ଜଣେ ବଡ଼ ବ୍ୟାଟ୍ସମ୍ୟାନ କ୍ରିଜକୁ ଆସିବା ପରେ କିଏ ଜିତିବ ତାହାକୁ ନେଇ ଏବେ ଆକଳନ କରିବା କଷ୍ଟକର ।

୨୦୧୯ରେ ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଏହି ଆସନରୁ ଜିତିଥିବା ବେଳେ ୨୦୧୪ରେ ବିଜେଡି ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଜିତିଥିଲେ । ନିତେଶ ୪.୭୩ ଲକ୍ଷରୁ ଅଧିକ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ ୪.୬୪ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ୧.୩୫ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ୨୦୧୪ରେ ବିଜେଡି ପ୍ରାର୍ଥୀ ନଗେନ୍ଦ୍ର ୩.୫୮ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ୩.୨୮ ଲକ୍ଷରୁ ଅଧିକ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ ୨.୪୨ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ ୩ ଲକ୍ଷରୁ ଅଧିକ ଭୋଟ ପାଇ ଜିତିଥିବା ବେଳେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ୨.୯୦ ଲକ୍ଷରୁ ଅଧିକ ଭୋଟ ଓ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ଲାଥ ୧.୫୦ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ ।

Get real time updates directly on you device, subscribe now.