ଏକ ଆଶ୍ଚର୍ଯ୍ୟଜନକ ଖୁଲାସା! ଶାର୍କ ମାଛ ଶରୀରରୁ ମିଳିଲା କୋକେନ, ସାମୁଦ୍ରିକ ଜୀବଙ୍କ ଉପରେ ପଡ଼ୁଛି ଡ୍ରଗ୍ସର ପ୍ରଭାବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଣିଷର ଜୀବନଧାରଣ ଶୈଳୀରେ ବହୁ ପରିବର୍ତ୍ତନ ଦେଖାଦେଉଛି । ଫଳସ୍ୱରୂପ ମଣିଷ ଆଜି ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ଓ ଏହାର ପ୍ରଭାବ ପରିବେଶ ଉପରେ ମଧ୍ୟ ପଡ଼ୁଥିବା ଦେଖାଯାଉଛି । ଏପରିକି ସମୟ କ୍ରମେ ଆମ ବିଶ୍ୱବକ୍ଷରୁ ଅନେକ ପ୍ରଜାତିର ଜୀବ ବିଲୁପ୍ତ ହୋଇଯାଇଥିବା ମଧ୍ୟ ବୈଜ୍ଞାନିକମାନେ ମତ ଦେଇଛନ୍ତି । ତେବେ ଏହା ମଧ୍ୟରେ ଏକ ଗବେଷଣାରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ବ୍ରାଜିଲର ସାମୁଦ୍ରିକ ବେଳାଭୂମିରୁ ଜବତ କରାଯାଇଥିବା କିଛି ଶାର୍କ ମାଛ ଶରୀରରୁ କୋକେନ ମିଳିଛି । ଏହି ଅଧ୍ୟୟନର ରିପୋର୍ଟ ‘ସାଇନ୍ସ ଅଫ୍ ଦି ଟୋଟଲ ଏନଭାୟରନମେଣ୍ଟ‘ରେ ପ୍ରକାଶିତ ହୋଇଛି । ଅବୈଧ ଡ୍ରଗ୍ସର ବ୍ୟବହାର କରିବା ଦ୍ୱାରା ସାମୁଦ୍ରିକ ଜୀବଙ୍କ ଉପରେ ତା’ର କ’ଣ ପ୍ରଭାବ ପଡ଼ୁଛି ତା’ ଉପରେ ଉକ୍ତ ଅଧ୍ୟୟନ ମାଧ୍ୟମରେ ଯାଞ୍ଚ କରାଯାଉଥିଲା । ମାଛଧରାଳୀଙ୍କ ଜାଲରେ ଧରାପଡ଼ିଥିବା ୧୩ଟି ଶାର୍ପନୋଜ ଶାର୍କଙ୍କର ଯାଞ୍ଚ କରାଯାଇଥିଲା । ତେବେ ସବୁ ଶାର୍କଙ୍କ ଦେହରେ କୋକେନ୍ ରହିଥିବା ବୈଜ୍ଞାନିକଙ୍କ ଯାଞ୍ଚରୁ ଜଣାପଡ଼ିଥିଲା । ପୂର୍ବ ଅଧ୍ୟୟନରେ ଅନ୍ୟ ସାମୁଦ୍ରିକ ଜୀବଙ୍କ ଠାରୁ ମିଳିଥିବା କୋକେନ ମାତ୍ରା ଅପେକ୍ଷା ଶାର୍କଙ୍କ ଠାରୁ ମିଳିଥିବା କୋକେନର ମାତ୍ରା ୧୦୦ ଗୁଣ ଅଧିକ ଥିଲା ।

ତେବେ ଶାର୍କମାନେ କୋକେନ ସମ୍ପର୍କରେ କିପରି ଆସିଲେ ସେନେଇ ବୈଜ୍ଞାନିକମାନେ କିଛି ସ୍ପଷ୍ଟ କରିନାହାନ୍ତି । ଡ୍ରଗ୍ସ ତସ୍କରୀ କାର୍ଯ୍ୟ, ଆକସମିକ ଡପିଂ ବା ସିୱେଜ ଡିସଚାର୍ଜ ମାଧ୍ୟମରେ ଡ୍ରଗ୍ସ ସମୁଦ୍ରରେ ପହଞ୍ଚିଥିବା କୁହାଯାଉଛି । କୋକେନ ପରିବେଶରେ ବହୁତ ଶୀଘ୍ର ଶେଷ ହୋଇଯାଇଥାଏ । ସେଥିପାଇଁ ଏହା ଶାର୍କ ଦେହରୁ ମିଳିଥିଲା । ଏହା ଅର୍ଥ ହେଉଛି ଜୀବଜନ୍ତୁଙ୍କ ଶରୀରରେ ବହୁ ମାତ୍ରାରେ ଡ୍ରଗ୍ସ ପହଞ୍ଚୁଛି । ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଶାର୍କକୁ ଖାଉଥିବା ମଣିଷଙ୍କ ଜୀବନ ଉପରେ ଏହାର ପ୍ରଭାବ କିପରି ରହିବ । ବ୍ରାଜିଲରେ ଶାର୍କ ସେବନ ଏକ ସାଧାରଣ କଥା । ମାନବ ଜୀବନ ଉପରେ ଏହାର ପ୍ରଭାବ କିପରି ପଡ଼ିବ ତାହା କେହି ଜାଣି ନାହାନ୍ତି । ଆଗାମୀ ଦିନରେ ଏହା ଉପରେ ରିସର୍ଚ୍ଚ କରାଯିବାର ଆବଶ୍ୟକତା ରହିଛି । ତେଣୁ ଏହା ଏକ ବଡ଼ ଚେତାବନୀ ବୋଲି ଗବେଷକମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଧୂମ୍ରପାନ କଲେ ମଣିଷ ପାଇଁ ଯେତିକି କ୍ଷତିକାରକ ହୋଇଥାଏ କୋକେନ ମଧ୍ୟ ସମାନ ମାତ୍ରାରେ ପ୍ରଭାବ ପକାଇଥାଏ । କୋକେନ ଏକ ଶକ୍ତିଶାଳୀ ଉତ୍ତେଜନ ଡ୍ରଗ ହୋଇଥିବା ବେଳେ ଦକ୍ଷିଣ ଆମେରିକାର ମୂଳ ବାସିନ୍ଦାମାନେ ହଜାର ହଜାର ବର୍ଷରୁ କୋକା ଗଛର ପତ୍ରକୁ ଚୋବାଇ ଖାଇ ଆସୁଛନ୍ତି । ଆଧୁନିକ ଯୁଗରେ କୋକେନର ବ୍ୟବହାର ମାଦକ ଦ୍ରବ୍ୟ ସେବନ, କୁଅଭ୍ୟାସ ଓ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡ଼ିତ ରହିଛି ।

Get real time updates directly on you device, subscribe now.