fbpx

ସେୟାର ବଜାରରେ ଝଡ଼!, ଦିନକରେ ୧୬୦୦ ପଏଣ୍ଟ ଖସିଲା ସେନସେକ୍ସ, ସାଢ଼େ ୬ ଲକ୍ଷ କୋଟି ହରାଇଲେ ନିବେଶକ

ନୂଆଦିଲ୍ଲୀ: ଶୁକ୍ରବାର ସେୟାର ମାର୍କେଟରେ ଦେଖିବାକୁ ମିଳିଛି ବଡ଼ ଧରଣର ହ୍ରାସ । ଶୁକ୍ରବାର କାରବାରରେ ସାଢ଼େ ୬ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଛି । ସାତ ମାସ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି । ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିଛି । କାରବାର ଆରମ୍ଭରେ ବିଏସଇ ସୂଚକାଙ୍କ ୭୨୦ ପଏଣ୍ଟ ସହ ଖୋଲିଥିଲା । ଉଭୟ ଏକ୍ସଚେଞ୍ଜରେ ଔଷଧ କମ୍ପାନୀଙ୍କ ଶେୟାର ଗ୍ରୀନ ଜୋନରେ ଥିବାବେଳେ ଅଟୋମୋବାଇଲ, ଷ୍ଟିଲ, ଫାଇନାନ୍ସ ଏବଂ ଏନର୍ଜୀ ସେକ୍ଟର ସହ ଜଡ଼ିତ କମ୍ପାନୀ ସହ ଜଡ଼ିତ ସେୟାରରେ ହ୍ରାସ ଦେଖିବାକୁ ମିଳିଥିଲା ।

କାରବାର ଆରମ୍ଭରେ ସେନସେକ୍ସରେ ହ୍ରାସ ଦେଖିବାକୁ ମିିଳିଥିଲା । ବଜାର ଖୋଲିବା ସମୟରେ ୭୨୦ ପଏଣ୍ଟ ତଳକୁ ଖସି ୫୮,୦୭୫.୯୩ ପଏଣ୍ଟରେ ଆରମ୍ଭ ହୋଇଥିଲା । ଯେତେବେଳେକି ଗୁରୁବାର ୫୮,୭୯୫.୦୯ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ଶୁକ୍ରବାର ବଜାର ବନ୍ଦ ହେବାବେଳକୁ ସୂଚକାଙ୍କ ୧୬୮୭.୯୪ ପଏଣ୍ଟ ତଳକୁ ଖସି ୫୭,୧୦୭.୧୫ରେ ବନ୍ଦ ହୋଇଛି ।

ସେହିଭଳି ନିଫ୍ଟୀରେ ମଧ୍ୟ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କାରବାର ଆରମ୍ଭରେ ୨୫୦ ପଏଣ୍ଟ ଖସି ୧୭,୩୩୮.୭୫ ପଏଣ୍ଟରେ ଖୋଲିଥିଲା । ଏହାପରେ ଦିନ ୧୧ଟା ସୁଦ୍ଧା ଏହାର ୪୩୦ ପଏଣ୍ଟ ଖସିଥିଲା । ବଜାର ବନ୍ଦ ହେବା ବେଳକୁ ୫୦୯.୮୦ ପଏଣ୍ଟ ଖସି ୧୭,୦୨୬.୪୫ ପଏଣ୍ଟରେ ବନ୍ଦ ହୋଇଛି ।

Get real time updates directly on you device, subscribe now.