fbpx

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବଡ଼ ଚମତ୍କାର: ମାତ୍ର ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇଗଲେ ମଧୁମେହ ରୋଗୀ

ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ ପ୍ରକାରର ରୋଗ ସାମ୍ନାକୁ ଆସୁଥିବା ବେଳେ ବୈଜ୍ଞାନିକମାନେ ତାହାକୁ ମୁକାବିଲା କରିବା ପାଇଁ ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିକଙ୍କୁ ମିଳିଛି ଏକ ବଡ଼ ସଫଳତା । ସେଲ୍ ଥେରାପି ଚିକିତ୍ସା ମାଧ୍ୟମରେ ମଧୁମେହ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ପାରିଛି । ଚୀନର ବୈଜ୍ଞାନିକମାନେ ଏଭଳି ଏକ ବଡ଼ ଚମତ୍କାର କରିଛନ୍ତି । ସାଙ୍ଘାଈ ଚାଞ୍ଜେଙ୍ଗ ହସ୍ପିଟାଲ ଓ ସେଣ୍ଟର ଫର୍ ଏକ୍ସଲେନ୍ସ ଇନ୍ ମଲିକୁଲାର ସେଲ୍ ସାଇନ୍ସର ଟିମ୍ ଏପରି କିଛି ବଡ଼ କରି ଦେଖାଇପାରିଛନ୍ତି ।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ୨୦୨୧ ମସିହା ଜୁଲାଇ ମସିହାରେ ଜଣେ ରୋଗୀଙ୍କର ସେଲ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି, ରୋଗୀଙ୍କ ଠାରେ କୋଷିକା ପ୍ରତିରୋପଣ କରାଯିବାର ୧୧ ସପ୍ତାହ ମଧ୍ୟରେ ତାଙ୍କୁ ଆଉ ବାହାରୁ ଇନସୁଲିନ୍ ନେବାକୁ ପଡ଼ିନଥିଲା । ଏହାପରେ ୧ ବର୍ଷ ମଧ୍ୟରେ ସେ ଧୀରେଧୀରେ ସୁସ୍ଥ ହେବାକୁ ଲାଗିଥିଲେ । ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ସେ ସେବନ କରୁଥିବା ଔଷଧ ଖାଇବା ମଧ୍ୟ ବନ୍ଦ କରିଦେଇଥିଲେ । ରୋଗୀଙ୍କର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ପାନକ୍ରିୟାଟିକ୍ ଆଉଲେଟ୍ ଠିକରେ କାମ କରିବା ଆରମ୍ଭ କରିଥିଲା ।

ଉକ୍ତ ଗବେଷଣା ପରେ ୩୩ ମାସ ସମୟ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ରୋଗୀ ଆଉ ଇନସୁଲିନ୍ ନେଉନଥିବା ରିସର୍ଚ୍ଚରେ ସାମିଲ ଥିବା ଜଣେ ବୈଜ୍ଞାନିକ କହିଛନ୍ତି । ମଧୁମେହ ରୋଗ ପାଇଁ ସେଲ ଥେରାପୀ ଚିକିତ୍ସା ଏକ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ୟୁନିଭରସିଟି ଅଫ୍ ବ୍ରିଟିଶ କଲମ୍ବିଆର ଜଣେ ପ୍ରଫେସସର କହିଛନ୍ତି । ସୂଚନାଯୋଗ୍ୟ ଯେ, ଚୀନରେ ପାଖାପାଖି ୧୪୦ ମିଲିୟନ ଲୋକ ମଧୁମେହ ରୋଗରେ ପୀଡ଼ିତ ରହିଥିବା ବେଳେ ସେଥିପାଇଁ ଅନେକ ଲୋକ ସାରା ଜୀବନ ଇନସୁଲିନ୍ ଇଞ୍ଜେକସନ ଉପରେ ନିର୍ଭରଶୀଳ । ଏବେ ନୂଆ ସେଲ ଥେରାପି ଚିକିତ୍ସାରେ ମିଳିଥିବା ସଫଳତା ଚୀନର ଚିକିତ୍ସା କ୍ଷେତ୍ରରେ ସୃଷ୍ଟି ହେଉଥିବା ଚାପକୁ ହ୍ରାସ କରିବା ସହ ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହୋଇ ପାରିବ ।

Get real time updates directly on you device, subscribe now.