fbpx

ବିଜେବି କଲେଜର ଛାତ୍ରୀ ଆତ୍ମହତ୍ୟା ଘଟଣା: ରୁଚିକାଙ୍କ ମାଆଙ୍କୁ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଛାନଭିନ୍ ଜାରି ରହିଥିବା ବେଳେ ନ୍ୟାୟ ପାଇବାକୁ ପରିବାର ଓ ଛାତ୍ରଛାତ୍ରୀମାନେ ଧାରଣା ଦେଉଛନ୍ତି । ଏହାରି ମଧ୍ୟରେ ମୃତ ରୁଚିକାଙ୍କ ମାଆଙ୍କୁ ଉଠାଇନେଇଛି ପୋଲିସ । ନ୍ୟାୟ ଦାବିରେ ଧାରଣା ଦେଇଥିବା ବେଳେ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ଅନ୍ୟ ସଙ୍ଗଠନର ସଦସ୍ୟଙ୍କୁ ମଧ୍ୟ ପୋଲିସ ଉଠାଇନେଇଛି ।

ତେବେ ରୁଚିକାଙ୍କ ମାଅଙ୍କୁ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଛି ପୋଲିସ । ସକାଳେ ପୋଲିସ ଧାରଣାସ୍ଥଳରେ ଟେଣ୍ଟ ଭାଙ୍ଗି ଦେଇଥିଲା । ଆଜି କଲେଜ ସାମ୍ନାରେ ଝିଅର ଦଶାହ ପାଳିବେ ବୋଲି କହିଥିଲେ ରୁଚିକାଙ୍କ ମାଆ । ଏହା ସହ ପୋଲିସ ଜବରଦସ୍ତ ନେଇଯାଉଥିବା ବେଳେ ରୁଚିକାଙ୍କ ମାଆ କହିଛନ୍ତି ଯେ, ‘ନ୍ୟାୟ ମିଳୁନି, ପୋଲିସ ଗୁଣ୍ଡାରାଜ କରୁଛି ।

ସୂଚନା ଅନୁଯାୟୀ କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ । କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନଂ ୨୦୧ରେ ରହୁଥିଲେ । ଶନିବାର ଅସୁସ୍ଥତା ଯୋଗୁଁ ସେ କ୍ଲାସ୍‌କୁ ଯାଇନଥିଲେ । କ୍ଲାସ ସରିବା ପରେ ଛାତ୍ରୀମାନେ ରୁମ୍‌କୁ ଫେରିବା ପରେ ରୁମର କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ । କବାଟ ବାଡ଼େଇ ଥିଲେ ମଧ୍ୟ ରୁଚିକା ଖୋଲିନଥିଲେ । ରୁଚିକା କବାଟ ନଖୋଲିବାରୁ ଛାତ୍ରୀମାନଙ୍କ ମନରେ ସନ୍ଦେହ ହୋଇଥିଲା । ପରେ ଏନେଇ ହଷ୍ଟେଲ୍‌ ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ । ପରେ ସେଠାରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି ଯେ ଜୀବନରେ ବହୁତ ଥକି ପଡ଼ିଲିଣି । ମୋ ବାପା ଓ ବୋଉ କଷ୍ଟ କରି ମୋତେ ପଢ଼ାଇଲେ । ମୋ ପାଠପଢ଼ା ପାଇଁ ଘର ଚଳିବା କଷ୍ଟକର ହେଉଥିଲା । ହେଲେ ହଷ୍ଟେଲ୍‌ରେ ମୋତେ ସିନିୟର ବହୁତ ନିର୍ଯାତନା ଦେଲେ । ୩ ଜଣ ସିନିୟର ମୋତେ ମାନସିକ ନିର୍ଯାତନା ଦେଲେ । ଆଉ ସହିପାରିଲିନି କି ଘରେ କହିପାରିଲିନି । ମୋତେ ମୋ ବାପା, ମାଆ, ମାମୁ, ମାଇଁ, ମଉସା ଓ ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି । ସେମାନେ ବହୁତ ଆଶା ରଖିଥିଲେ, ମୁଁ କଲେକ୍ଟର ହେବି । ହେଲେ ମୋତେ ସିନିୟର ମାନସିକ ନିର୍ଯାତନା ଦେଲେ । ବାପା, ମାଆଙ୍କ ପଇସା ଖର୍ଚ୍ଚ କରି ପାଠ ପଢ଼ିବା ପାଇଁ ଛାଡ଼ିଥିଲେ । ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲାନାହିଁ । କାରଣ ସିନିୟର ମୋତେ ବହୁତ ଡିପ୍ରେସ୍‌ କଲେ ବୋଲି ଚିଠିରେ ଲେଖାଯାଇଛି ।

Get real time updates directly on you device, subscribe now.