fbpx

BJD କର୍ମକର୍ତ୍ତାଙ୍କୁ ମିଳିଲା ଦାୟିତ୍ୱ: ୧୨ ଜଣ ବରିଷ୍ଠ ଉପସଭାପତି, ୧୪ ଜଣ ଉପସଭାପତି, ୨୮ ଜଣ ସାଧାରଣ ସମ୍ପାଦକ, ୪୫ ଜଣ ସମ୍ପାଦକଙ୍କୁ ଦିଆଗଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହି ଆସିଥିବା ବିଜୁ ଜନତା ଦଳ (ବିଜେଡି) ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳ ବିଭିନ୍ନ ଜିଲ୍ଲାରେ ତା’ର ସଂଗଠନକୁ ପୁନର୍ଗଠନ କରୁଛି । ନିକଟରେ କିଛି ଜିଲ୍ଲାରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଭାବେ ନୂଆ ନେତାଙ୍କୁ ଦାୟିତ୍ୱ ମିଳିଥିଲା ।

ତେବେ ଏହା ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲା ବିଜେଡିରେ କିଛି ନୂଆ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି । ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ଓ ୮ଟି ବ୍ଲକରେ ୧୨ ଜଣ ବରିଷ୍ଠ ଉପସଭାପତି, ୧୪ ଜଣ ଉପସଭାପତି, ୨୮ ଜଣ ସାଧାରଣ ସମ୍ପାଦକ, ୪୫ ଜଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି । ଏଥିସହିତ ୫ ଜଣଙ୍କୁ ଜିଲ୍ଲା ଉପଦେଷ୍ଟା କମିଟି ଦାୟିତ୍ୱ ଦିଆଯାଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ୧୫ ତାରିଖରେ ଗଞ୍ଜାମ ଜିଲ୍ଲା ବିଜେଡି ସଂଗଠନ ପୁନର୍ଗଠିତ ହୋଇଥିଲା । ଜିଲ୍ଲା ସଂଗଠନ, ଛାତ୍ର ସଂଗଠନ ଓ ମହିଳା ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଦଳର ସୁପ୍ରିମୋ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିଲେ । ଜିଲ୍ଲା ବିଜେଡି ଉପସଭାପତି ଭାବେ ୧୨ ଜଣ ନେତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏଥିସହିତ ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାପତି, ମହିଳା ବିଜେଡିର ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଭାବେ ଦୁଇଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏଥିସହିତ ଜିଲ୍ଲା ଯୁବ ଜନତା ଦଳର ଉପସଭାପତି, ସମ୍ପାଦକମାନଙ୍କଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.