fbpx

ପୌର ନିର୍ବାଚନରେ ସାମ୍ନାସାମ୍ନି ହେବେ ଅପରାଜିତା-ଅନନ୍ତ: ସମ୍ମାନ ବଞ୍ଚାଇବାକୁ BJD-BJPର ଜୋରଦାର ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ଭୋଟ ସରିବା ପରେ ବର୍ତ୍ତମାନ ବାଜିସାରିଛି ପୌର ନିର୍ବାଚନର ବିଗୁଲ୍ । ସମସ୍ତଙ୍କର ନଜର ରହିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ପଦ ଉପରେ । ଇତିମଧ୍ୟରେ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ବିଏମସି ମେୟର ପ୍ରାର୍ଥୀ ଭାବେ ଘୋଷଣା କରିସାରିଥିବା ବେଳେ ନିଷ୍ପତ୍ତି ନେଇପାରୁ ନାହାନ୍ତି ବିଜେଡି ଓ ବିଜେପି । ତେବେ ରାଜ୍ୟର ମେରୁଦଣ୍ଡ କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରେ ମେୟର ସିଟ୍ ହାତେଇବା ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ।

ତେବେ ବିଜେଡିର ଡଜନ ଡଜନ ଆଶାୟୀଙ୍କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେପିର ହାତଗଣତିଙ୍କ ନାମ ସାମ୍ନାକୁ ଆସିଛି । ତେବେ ଆଜିକାଲି ଭିତରେ ଦୁଇଦଳ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ତେବେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ହେବ । ସେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ଗତ ୨୦୧୯ ନିର୍ବାଚନ ସମୟରେ ବିଜେଡି ଏଠାରୁ ୩ଟି ବିଧାୟକ ସିଟ୍ ହାତେଇଥିବା ବେଳେ ସାଂସଦ ଲଢ଼େଇରେ ଅପରାଜିତାଙ୍କ ସମ୍ମୁଖରେ ଆଣ୍ଠେଇ ପଡ଼ିଥିଲା ।

ସେଥିପାଇଁ ଚଳିତ ଥର ବିଜେଡିକୁ ଚକମା ଦେବା ଲକ୍ଷ୍ୟରେ ରହିଛନ୍ତି ଅପରାଜିତା । ଅନ୍ୟପକ୍ଷରେ ୨୦୦୮ରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମେୟର ହୋଇଥିବା ଅନନ୍ତ ନାରାୟଣ ଜେନା ଏବେ ବିଧାୟକ ଅଛନ୍ତି । ମେୟର ଭାବେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ଥିବାରୁ ସେ ପ୍ରାର୍ଥୀ ମନୋନୟନଠାରୁ ଆରମ୍ଭ କରି ରଣନୀତି ପ୍ରସ୍ତୁତ କରୁଛନ୍ତି । ଏକଦା ଅପରାଜିତା ଓ ଅନନ୍ତ ଏକତ୍ର ଭାବେ କାର୍ଯ୍ୟ କରି ଭୁବନେଶ୍ୱରର ବିକାଶ କରି ବହୁ ପ୍ରଶଂସା ପାଇଥିଲେ । ଗତ ବିଧାନସଭା ନିର୍ବାଚନ ସମୟରେ ଦୁହେଁ ମୁହାଁମୁହିଁ ହୋଇଥିବା ବେଳେ ପୁଣି ଥରେ ହେବେ ସାମ୍ନାସାମ୍ନି । ଆଗକୁ ଜଣାପଡ଼ିବ, ନିର୍ବାଚନ ପଶାପାଲିରେ କାହାର ଗୋଟିର ଦମ୍ କେତେ ।

Get real time updates directly on you device, subscribe now.