ତିନୋଟି ଜିଲ୍ଲାରେ ପଦାଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ: ବିଜୁ ଯୁବ, ବିଜୁ ଛାତ୍ର ଓ ବିଜୁ ମହିଳା ଜନତା ଦଳ ସଂଗଠନର କର୍ମକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେଠାରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଛନ୍ତି ।

ତେବେ ନିର୍ବାଚନ ପୂର୍ବରୁ ନିକଟରେ ବିଜେଡି କିଛି ଜିଲ୍ଲା ସଂଗଠନକୁ ପୁନର୍ଗଠନ କରିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ଦେଇଥିଲା । ଏହା ମଧ୍ୟରେ ପୁଣି ତିନୋଟି ଜିଲ୍ଲାରେ କିଛି ପଦାଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ରାୟଗଡ଼ା ଜିଲ୍ଲାରେ ୧୦ ଜଣ ପଦାଧିକାରୀଙ୍କୁ ବିଭିନ୍ନ ପଦରେ ଦାୟିତ୍ୱ ଦିଆଯାଇଛି । ବିଭିନ୍ନ ନେତାଙ୍କୁ ବିଜେଡି ରାଜ୍ୟ ସଭାପତି, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି, ମହିଳା ଜନତା ଦଳ, ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ଟାଉନ ସଭାପତି ପଦରେ ନିଯୁକ୍ତି ଦିଆଯାଇଛି ।

ସେହିପରି ଦେଓଗଡ଼ ଜିଲ୍ଲା ସଂଗଠନରେ ଦୁଇଜଣ ନେତାଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସମ୍ପାଦକ ଭାବେ ରମଣଚଞ୍ଜନ ବିଶ୍ୱାଳ ଓ ଜିଲ୍ଲା ସଭାପତି ଭାବେ ଚିତ୍ତରଞ୍ଜନ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଏଥିସହିତ ବୌଦ୍ଧ ଜିଲ୍ଲା କମିଟିରେ ମଧ୍ୟ କିଛି ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବୌଦ୍ଧ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, ବୌଦ୍ଧ ନିର୍ବାଚନ ମଣ୍ଡଳୀର ସଂଯୋଜକ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି । ଏନେଇ ଦଳ ପକ୍ଷରୁ ଅଲଗା ଅଲଗା ବିଜ୍ଞପ୍ତି ପ୍ରକାଶ ପାଇଛି ।