fbpx

ବିଜେଡି ସାଂସଦ ମମତାଙ୍କୁ ବଡ଼ ଦାୟିତ୍ୱ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ୮ ଜଣ ସଦସ୍ୟଙ୍କ ନାମ ଘୋଷଣା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ୮ ଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟସଭା ଉପାଧ୍ୟକ୍ଷ ଜଗଦୀପ ଧନକର ଏନେଇ ଘୋଷଣା କରିଛନ୍ତି । ତେବେ ସବୁଠାରୁ ବଡ଼କଥା ହେଉଛି ଏହି ପ୍ୟାନେଲରେ ଜଣେ ଓଡ଼ିଆ ସାଂସଦଙ୍କୁ ସ୍ଥାନ ମିଳିଛି । ସେ ହେଉଛନ୍ତି ବିଜେଡି ରାଜ୍ୟସଭା ସାଂସଦ ତଥା ମୟୁରଭଞ୍ଜର ନାରୀନେତ୍ରୀ ମମତା ମହାନ୍ତ ।

୮ ଜଣ ପ୍ୟାନେଲ ସଦସ୍ୟଙ୍କ ନାମ ଘୋଷଣା କରିବା ଅବସରରେ ସେଥିରେ ୫୦ ପ୍ରତିଶତ ମହିଳା ସ୍ଥାନ ପାଇଥିବା ଶ୍ରୀ ଧନକର କହିଥିଲେ । ତେବେ ଜଣେ ଓଡ଼ିଆ ମହିଳା ସାଂସଦଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ମିଳିବା ନିଶ୍ଚିତ ଭାବେ ଏକ ବଡ଼ କଥା । ଏହା ରାଜ୍ୟ ଓ ବିଶେଷ କରି ମୟୁରଭଞ୍ଜ ଜିଲ୍ଲାର ଗୌରବକୁ ବହୁଗୁଣରେ ବୃଦ୍ଧି କରିଛି ।

ଗତ ୨୦୨୦ ମସିହାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ । ତା’ପରଠାରୁ ବିଭିନ୍ନ ସମୟରେ ମମତା ଓଡ଼ିଶାର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ସହିତ କୁଡୁମି ଜାତିକୁ ଜନଜାତିର ମାନ୍ୟତା ପ୍ରଦାନ କରିବା, ବାଙ୍ଗିରିପୋଷି ଘାଟିର ରାସ୍ତା ସମ୍ପ୍ରସାରଣ କରିବା ଆଦି ଦାବି ସଂସଦରେ ଉପସ୍ଥାପନ କରିଆସିଛନ୍ତି । ପ୍ୟାନେଲରେ ମମତାଙ୍କର ସ୍ଥାନ ଘୋଷଣା ହେବା ପରେ ସେ ପ୍ରଥମ ଦିନର ଗୃହକାର୍ଯ୍ୟ ପରିଚାଳନା କରିଛନ୍ତି । ଆଗକୁ ମଧ୍ୟ ମମତା ମୟୁରଭଞ୍ଜ ସହିତ ଓଡ଼ିଆ ଜାତିର ବିକାଶ ପାଇଁ ବହୁ କାର୍ଯ୍ୟ କରିବେ ବୋଲି ସମସ୍ତଙ୍କର ବିଶ୍ୱାସ ରହିଛି ।

Get real time updates directly on you device, subscribe now.