ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁଶୀଲ ବାଗଙ୍କୁ ବହିଷ୍କାର କଲା ବିଜେଡି

ଭବାନୀପାଟଣା, (ଓଡ଼ିଶା ଭାସ୍କର): ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁକୁ ସାରା ରାଜ୍ୟରେ ବିଜେଡିର ପ୍ରତ୍ୟେକ ଜର୍ମୀ ଲୋକଙ୍କ ପାଖରେ ପହଞ୍ଚାଉଥିବା ବେଳେ କିଛି ଜାଗାରେ କିଛି ବିଜେଡି କର୍ମୀ ପାର୍ଟିବିରୋଧୀ କାର୍ଯ୍ୟ କରି ବିଜେଡିକୁ ବଦନାମ କରୁଛନ୍ତି । ଏହିଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ ।

ବ୍ଲକ୍ ବିଜେଡି ପକ୍ଷରୁ ବିଶ୍ୱନାଥପୁର ପୂର୍ତ୍ତ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଗୋପାଳପୁର ଗାଁର ସୁଶୀଲ ବାଗଙ୍କୁ ଦଳ ବିରୋଧୀ ନୀତି ଯୋଗୁଁ ବିଜେଡିର ସଦସ୍ୟତା ପଦରୁ ବହିଷ୍କାର କରିଥିବା ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ ଘୋଷଣା କରିଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ଶ୍ରୀ ବାଗ ପାର୍ଟି ବିରୋଧରେ ଅନେକ କାର୍ଯ୍ୟ କରିଛନ୍ତି ସେଥିପାଇଁ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବ୍ଲକ ଉପାଧ୍ୟକ୍ଷ ସଂଜୀବ କୁମାର ନାଏକ, ବରିଷ୍ଠ ବିଜେଡି ନେତା ଶ୍ରୀଧର ପେଶନିଆ, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଅଞ୍ଜଳି ମାଝୀ ଓ ସୁବାସ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷେ ଆଜି ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୁଶୀଲ ବାଗ ଜଣାଇଛନ୍ତି ଯେ, ‘ମୁଁ ତିନିମାସ ତଳୁ ଦଳ ଛାଡି ସାରିଥିଲି । ବର୍ତ୍ତମାନ ଜନସାଧାରଣଙ୍କ ସେବା ମୋର ଏକମାତ୍ର ବ୍ରତ ହେବ । ମୋତେ ଦଳରୁ ଯିଏ ବହିଷ୍କାର କରିଛନ୍ତି ତାଙ୍କର ମୋତେ ବହିଷ୍କାର କରିବାର କ୍ଷମତା ନାହିଁ ।’