BJPର ବଡ଼ ନିଷ୍ପତ୍ତି: ୪ଟି ରାଜ୍ୟର ସଭାପତି ବଦଳିଲେ, ନୂଆ ନେତାଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ଏବେ ସଜାଗ ହୋଇଉଠିଛନ୍ତି । ଚଳିତ ବର୍ଷ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ନିକଟରେ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିଛି । ତେବେ ଫାଇନାଲ ଲଢ଼େଇ ପୂର୍ବରୁ ଏହିସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଭାଜପା ପାଇଁ ସେମିଫାଇନାଲ ସଦୃଶ ହେବ । ତେଣୁ ଦଳ ବିଭିନ୍ନ ରାଜ୍ୟରେ ମୁଖିଆଙ୍କୁ ପରିବର୍ତ୍ତନ କରୁଥିବା ଦେଖାଯାଇଛି ।

ତେବେ ଏହା ମଧ୍ୟରେ ବିଜେପିର କେନ୍ଦ୍ରୀୟ ସ୍ତରରୁ ଏକ ବିଗ୍ ଅପଡେଟ୍ ଆସିଛି । ବିଭିନ୍ନ ରାଜ୍ୟର ପ୍ରଦେଶ ସଭାପତି ଭାବେ ନୂଆ ଚେହେରାଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା, ରାଜସ୍ଥାନ, ବିହାର ଓ ଦିଲ୍ଲୀ ପାଇଁ ନୂଆ ମୁଖିଆଙ୍କ ନାମ ଘୋଷଣା କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଓଡ଼ିଶା ପାଇଁ ମନମୋହନ ସାମଲ, ରାଜସ୍ଥାନ ପାଇଁ ସି.ପି. ଯୋଶୀ, ବିହାର ପାଇଁ ସମ୍ରାଟ ଚୌଧରୀ ଓ ଦିଲ୍ଲୀ ପାଇଁ ବୀରେନ୍ଦ୍ର ସଚଦେବାଙ୍କୁ ପ୍ରଦେଶ ସଭାପତି ଭାବେ ଘୋଷଣା କରାଯାଇଛି ।

ପୂର୍ବରୁ ଓଡ଼ିଶାରେ ସମୀର ମହାନ୍ତି ପ୍ରଦେଶ ସଭାପତି ଦାୟିତ୍ୱରେ ରହିଥିଲେ । ସେହିପରି ରାଜସ୍ଥାନରେ ଏହା ପୂର୍ବରୁ ସତୀଶ ପୁନିଆ, ବିହାରରେ ସଞ୍ଜୟ ଜୟସୱାଲ ଓ ଦିଲ୍ଲୀରେ ଆଦେଶ ଗୁପ୍ତା ପ୍ରଦେଶ ସଭାପତି ଦାୟିତ୍ୱରେ ରହିଥିଲେ । ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ବିଜେପି ଆମ ଆଦମୀ ପାର୍ଟି (ଆପ) ଠାରୁ ହାରିବା ପରେ ଆଦେଶ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଗାମୀ ଦିନରେ ଦଳକୁ ବିଭିନ୍ନ ରାଜ୍ୟରେ ସଫଳତା ମିଳିବା ନେଇ ଏହି ନେତାଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଭରସା କରିଛନ୍ତି ।