fbpx

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରଭାରୀଙ୍କ ତାଲିକା ଘୋଷଣା କଲା BJP, ଜାଣନ୍ତୁ କେଉଁ ରାଜ୍ୟରେ କିଏ ନିଯୁକ୍ତି ପାଇଲେ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଛି । ବିଶେଷ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହି ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୪ଟି ରାଜ୍ୟରେ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି । ନରେନ୍ଦ୍ର ସିଂହ ତୋମାରଙ୍କୁ ରାଜସ୍ଥାନ ଓ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ହରିୟାଣା ପାଇଁ ନିଯୁକ୍ତି ମିଳିଛି । ସେହିପରି ଅଶ୍ୱିନୀ ବୈଷ୍ଣବ ମହାରାଷ୍ଟ୍ର, ଜି. କିଶନ ରେଡ୍ଡୀ କର୍ଣ୍ଣାଟକ ପାଇଁ ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି । ତେବେ ତ୍ରିପୁରାର ୪ଟି ବିଧାନସଭା ସିଟରେ ଉପନିର୍ବାଚନ ପାଇଁ ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ, ଅଶୋକ ସିଙ୍ଘଲ, ଜୟନ୍ତ ମଲ୍ଲବରୁଆଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି । ଆସନ୍ତା ମାସରେ ଖାଲିଥିବା କିଛି ସିଟ୍ ପାଇଁ ୧୫ଟି ରାଜ୍ୟରେ ନିର୍ବାଚନ ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପାଖରେ ୧.୨ ପ୍ରତିଶତ ଭୋଟ କମ୍ ରହିଛି । ତେଣୁ ରାଜ୍ୟସଭା ନିର୍ବାଚନରେ ଯେତେ ଅଧିକ ସଂଖ୍ୟକ ସିଟରେ ବିଜେପି ଜିତି ପାରିବ, ତାହା ଦଳ ପାଇଁ ସେତିକି ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.