fbpx

ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଦରକାର ନାହିଁ କାହାରି ସମର୍ଥନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ସହଯୋଗୀ ଦଳଗୁଡିକର ସମର୍ଥନ ଆବଶ୍ୟକତା ପଡିଛି। ହେଲେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ କାହାରି ସମର୍ଥନର ଆବଶ୍ୟକତା ନାହିଁ। ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳ ନିକଟରେ ପର‌୍ୟ୍ୟାପ୍ତ ଭୋଟ୍ ରହିଛି। ଏହା ଏଥିପାଇଁ ସମ୍ଭବ କାରଣ ଉପ ରାଷ୍ଟ୍ରପତି ନିର୍ବାଚନରେ ମନୋନୀତ ସାଂସଦ ସମେତ କେବଳ ଲୋକସଭା ଏବଂ ରାଜ୍ୟସଭାର ସାଂସଦ ହିଁ ମତଦାନ କରିଥାନ୍ତି। ଏହି ନିର୍ବାଚନରେ ଲୋକସଭାର ୫୪୩ ଏବଂ ରାଜ୍ୟସଭାରେ ୨୩୨ ସାଂସଦ ଭୋଟିଂ କରିଥାନ୍ତି।

ନିକଟରେ ସଂପନ୍ନ ରାଜ୍ୟସଭା ନିର୍ବାଚନରେ ବିଜେପିକୁ ତିନୋଟି ସିଟ୍ ହରାଇବାକୁ ପଡିଛି। ଜୁଲାଇ ୧ରେ ଉଚ୍ଚ ସଦନରେ ଏହାର ସଦସ୍ୟ ସଂଖ୍ୟା ହ୍ରାସ ପାଇ ୯୨ ରହିଛି। ଲୋକସଭାରେ ବିଜେପି ଏବଂ ଏନଡିଏ ନିକଟରେ ପର୍ଯ୍ୟାପ୍ତ ସଂଖ୍ୟାବଳ ରହିଛି। ବିଜେପି ଉପ ନିର୍ବାଚନରେ ଦୁଇଟି ବିଜୟ ହାସଲ କରିଛି। ଏହାକୁ ମିଶାଇ ବିଜେପିର ସାଂସଦ ସଂଖ୍ୟା ୩୦୩କୁ ବୃଦ୍ଧି ଘଟିଛି। ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନିକଟରେ ମୋଟ୍ ୩୯୫ ସାଂସଦ ଅର୍ଥାତ ଭୋଟ୍ ରହିଛି। ବିଜୟ ପାଇଁ ଜରୁରୀ ୩୮୮ରୁ ସାତ ଭୋଟ୍ ଅଧିକ ରହିଛି।

ନିର୍ବାଚନ ଆୟୋଗ ୨୦୨୨ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛି। ଅଗଷ୍ଟ ୬ରେ ମତଦାନ ହେବ। ବର୍ତ୍ତମାନ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ କାର‌୍ୟ୍ୟକାଳ ଅଗଷ୍ଟ ୧୦ରେ ସମାପ୍ତ ହେଉଛି। ନୂତନ ସଭାପତି ଆଗାମୀ ମୌସୁମୀ ଅଧିବେଶନରେ କାର୍ଯ୍ୟଭାର ସମ୍ଭାଳିବେ ଏବଂ ଉଚ୍ଚ ସଦନର ଅଧ୍ୟକ୍ଷତା କରିବେ।

ବିରୋଧୀ ମଧ୍ୟ ଦେବେ ପ୍ରାର୍ଥୀ

ବିରୋଧୀଙ୍କ ନିକଟରେ ଉପ ରାଷ୍ଟ୍ରପତି ନିର୍ବାଚନ ଜିତିବାର ସମ୍ଭାବନା କ୍ଷୀଣ ରହିଛି। ତଥାପି ବିରୋଧୀ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। ବିରୋଧୀ ଦଳର ନେତା କହିଛନ୍ତି, ଏନଡିଏ ବିନା ଲଢେଇରେ ଜିତି ପାରିବ ନାହିଁ। ଏହି ନିର୍ବାଚନ ରାଜନୈତିକ ଏବଂ ବୈଚାରିକ ଲଢେଇ।

ଏ ଯାଏଁ ଘୋଷଣା ହୋଇନି ପ୍ରାର୍ଥୀ

ଏନଡିଏ ଏବଂ ବିରୋଧୀ ଉଭୟ ଏ ପର‌୍ୟ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ତେବେ ବିରୋଧୀ ଦଳ ସମ୍ଭାବିତ ନାମ ଉପରେ ଶୀଘ୍ର ଆଲୋଚନା ଆରମ୍ଭ କରି ପାରନ୍ତି। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଜୁଲାଇ ୧୯ ରହିଛି।

 

Get real time updates directly on you device, subscribe now.