CHARIDHAM

Amazonରୁ ୩୦ ହଜାର ଟଙ୍କାର ସାଉଣ୍ଡ ସିଷ୍ଟମ ଅର୍ଡର କରିଥିଲେ ବିଜେପି ବିଧାୟକ, ହେଲେ ଭିତରୁ ବାହାରିଲା…

ରେଓ୍ଵାଡି: ଡିଜିଟାଲ ଯୁଗରେ ଅନଲାଇନରେ ସବୁ ଜିନିଷ ସହଜରେ ହାତ ପାଆନ୍ତରେ ମିଳି ଯାଉଛି। ଅନ୍ୟପଟେ ଅନଲାଇନ ଠକେଇ ମାମଲା ମଧ୍ୟ ସେହି ହିସାବରେ ବଢି ଚାଲିଛି। ଏବେ ଏହି ଠକେଇର ଶିକାର ହୋଇଛନ୍ତି ଜଣେ ବିଜେପି ବିଧାୟକ। ସେ ଅନଲାଇନ ଆମାଜନ ସପିଂ ସାଇଟରୁ ୩୦ ହଜାର ଟଙ୍କାର ଏକ ସାଉଣ୍ଡ ସିଷ୍ଟମ କିଣିଥିଲେ। ଯେବେ ତାଙ୍କ ପ୍ରଡକ୍ଟ ଡେଲିଭରି ହେଲା ତେବେ ସେଥିରେ ସାଉଣ୍ଡ ସିଷ୍ଟମ ବଦଳରେ ଥିଲା କବାଡ ଜିନିଷ। ବକ୍ସ ଭିତରେ ଏକ ପୁରୁଣା ଲାଇନ, ସ୍ପିକର ଏବଂ କାର୍ଡବୋର୍ଡ ରହିଥିଲା। ବିଧାୟକ ଜଣକ ହେଉଛନ୍ତି ହରିୟାଣାର ରେଓ୍ଵାଡି ନିର୍ବାଚନୀ ମଣ୍ଡଳୀର ଏବଂ ତାଙ୍କ ନାମ ସୁନୀଲ ମୁସେପୁର।

ସେ କିଛି ଦିନ ପୂର୍ବେ ପ୍ରାୟ ୩୦ ହଜାର ଟଙ୍କାର ଏକ ସାଉଣ୍ଡ ସିଷ୍ଟମ ଲୋକପ୍ରିୟ ଅନଲାଇନ ସାଇଟ ଆମାଜନରୁ ଅର୍ଡର କରିଥିଲେ। ରବିବାର ଏକ ଭ୍ୟାନରେ ଡେଲିଭରି ବୟ ସାମାନ ଡେଲିଭରି କରିବାକୁ ପହଞ୍ଚିଥିଲା। ବିଜେପି ବିଧାୟକ ଅନଲାଇନ ଠକେଇ ଘଟଣା ବିଷୟରେ ବେଶ୍ ଅବଗତ ଥିଲେ। ତେଣୁ ସେ ଡେଲିଭରି ବୟ ସାମ୍ନାରେ ହିଁ ବକ୍ସ ଖୋଲିଥିଲେ। ତେବେ ଭିତରେ ଥିବା ଜିନିଷ ଦେଖି ସେ ଚକିତ ହୋଇ ପଡିଥିଲେ।

ବକ୍ସରେ ସାଉଣ୍ଡ ସିଷ୍ଟମ ବଦଳରେ ଏଣୁ ତେଣୁ ଜିନିଷ ବାହାରିବାରୁ ସେ ଥାନାରେ ଏତଲା ଦେଇଛନ୍ତି। ଏହା ପରେ ପୋଲିସ ତାଙ୍କ ଘରେ ପହଞ୍ଚି ଅଭିଯୋଗ ଆଧାରରେ ଯାଞ୍ଚ କରି ଉଚିତ୍ କାର‌୍ୟ୍ୟାନୁଷ୍ଠାନ ନେବାକୁ ଭରସା ଦେଇଛନ୍ତି। ଡେଲିଭରି ବୟ ସନ୍ଦୀପଙ୍କ କହିବା କଥା ତାଙ୍କୁ କମ୍ପାନୀର ଗୋଦାମରୁ ସାମଗ୍ରୀ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯାଏ। ବକ୍ସ ଭିତରେ କଣ ଥାଏ ସେ ବିଷୟରେ କିଛି ଜାଣନ୍ତି ନାହିଁ। ସେ କେବଳ ତାଲିକା ଅନୁସାରେ ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି।

ବର୍ତ୍ତମାନ ପୋଲିସ ଏହି ମାମଲାର ଛାନଭିନ ଚଳାଇଛି। ଯାଞ୍ଚରୁ ସ୍ପଷ୍ଟ ହେବ ଯେ, ଏହି ସାମଗ୍ରୀ କେଉଁଠୁ ପ୍ୟାକିଂ ହୋଇଥିଲା। ପ୍ୟାକିଂ ପରେ କାହା ଜରିଆରେ ଆସିଥିଲା ଏବଂ କେଉଁଠୁ କବାଡ ଜିନିଷ ବକ୍ସରେ ଭର୍ତ୍ତି କରାଗଲା।