ଆଉ ମାତ୍ର କିଛି ସମୟ ପରେ ପ୍ରକାଶ ପାଇବ ବିଜେପିର ୧୦୦ ଜଣିଆ ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ଆଉ ମାତ୍ର କିଛି ସମୟ ପରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବ । ତେବେ ଦଳ ପକ୍ଷରୁ ପ୍ରାୟ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଓ ସେମାନେ କେଉଁଠି ଲଢ଼ିବେ, ତା’ର ତାଲିକା ଜାରି କରାଯିବ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁ ରହିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି। ତେବେ ବିଜେପି ଏଥର ଏକାକୀ ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି। ତେଣୁ ସେହି ଅନୁସାରେ ଦଳ ପ୍ରାର୍ଥୀଙ୍କୁ ଚୟନ କରିବ। ତେବେ ଏପରି ସ୍ଥିତିରେ ବିଜେପିର ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାର ଗୁରୁତ୍ୱ ବେଶ ଅଧିକ ରହିଛି। ସେପଟେ ଏହି ୧୦୦ ଜଣିଆ ତାଲିକାରେ ଓଡ଼ିଶାରୁ ୨ ରୁ ୩ ଜଣଙ୍କ ନାମ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ଆଉ ଦିନ କେଇଟା ଗଲେ ଦେଶରେ ନିର୍ବାଚନ। ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହିପରି ନିର୍ବାଚନ ପରିଚାଳନା ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ମଧ୍ୟ ସମସ୍ତ ରାଜ୍ୟ ପରିଦର୍ଶନ କରୁଛନ୍ତି। ତେଣୁ ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ମାଷ୍ଟର ଷ୍ଟ୍ରୋକ୍ ଖେଳିବା ପାଇଁ ପ୍ରସ୍ତୁତ ହେଉଛି। ସେଥିପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରଥମ ଦଫାରେ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ମନସ୍ଥ କରିଛି।