fbpx

ଆଜି ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି, ସନ୍ଧ୍ୟା ୬ରେ ଦିଲ୍ଲୀରେ ବସିବ CEC ବୈଠକ

ଓଡ଼ିଶା ଭାସ୍କର: ଆଜି ଘୋଷଣା ହୋଇପାରେ ଓଡ଼ିଶା ବିଜେପି ପ୍ରାର୍ଥୀ ତାଲିକା। ସନ୍ଧ୍ୟା ୬ଟାରେ ଦିଲ୍ଲୀରେ ବସିବାକୁ ଥିବା ବିଜେପିର CEC ବୈଠକରେ କିଛି ପ୍ରାର୍ଥୀଙ୍କ ନାଁରେ ଲାଗିବ ମୋହର। ଆଜି ଓଡ଼ିଶା ସମେତ ୯ରୁ ଅଧିକ ରାଜ୍ୟର ଲୋକ ସଭା ଏବଂ ବିଧାନ ସଭା ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବ। ବୈଠକରେ ପଞ୍ଜାବ, ମହାରାଷ୍ଟ୍ର, ହରିୟାଣା ପ୍ରାର୍ଥୀଙ୍କ ନାଁ ଆସିବ। ସେହିପରି ଉତ୍ତର ପ୍ରଦେଶ, କର୍ନାଟକ, ପଶ୍ଚିମବଙ୍ଗ, ବିହାରର ପ୍ରାର୍ଥୀଙ୍କ ନାଁ ଉପରେ ମଧ୍ୟ ମୋହର ବାଜିବ ବୋଲି କୁହାଯାଉଛି। ତେବେ ବିଜେପିର ଏହି ତୃତୀୟ CEC ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଓ ଭାଜପା ସଭାପତି ଜେ.ପି.ନଡ୍ଡାଙ୍କ ଭଳି ଶୀର୍ଷ ନେତା ଯୋଗଦେବେ ବୋଲି ଜଣାପଡିଛି।

ସୂଚନା ଥାଉକି, ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାର ବିରାମ ଲାଗିବା ପରେ ଉଭୟ ଦଳ ବର୍ତ୍ତମାନ ନିଜ ନିଜର ରଣନୀତିକୁ ଜୋରଦାର କରିଥିବା ଦେଖିବାକୁ ମିଳୁଛି। ତେବେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଉଭୟ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ CEC ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଗସ୍ତରେ ରହିଛନ୍ତି। ତାଙ୍କ ସହ ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଏହି ବୈଠକରେ ଓଡ଼ିଶାର ଯାଇଥିବା ପ୍ରାର୍ଥୀଙ୍କ ସଟ୍ ଲିଷ୍ଟକୁ ଚୂଡ଼ାନ୍ତ ରୂପ ମିଳିପାରେ ବୋଲି ଅନୁମାନ କରାଯାଉଛି। ତେବେ ମେଣ୍ଟ ବୁଝାମଣା ତୁଟି ନ ଥିବାବେଳେ ବିଜେପି ତା’ର ଓଡିଶାରେ ପ୍ରାର୍ଥୀ ଘୋଷଣା କରି ନ ଥିଲା। କିନ୍ତୁ ଗତକାଲି ଠାରୁ ଏନେଇ ପୂର୍ଣ୍ଣଚ୍ଛେଦ ପଡିବା ପରେ ଓଡିଶା ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଆସିବା ପକ୍କା ହୋଇଛି।

ଉଲ୍ଲେଖ ଥାଉକି, ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ବିରାମ ଲାଗିବା ପରେ ବିଜେପିର କିପରି ପ୍ରସ୍ତୁତି ଚାଲିଛି ବୋଲି ଗଣମାଧ୍ୟମ କର୍ମୀଙ୍କ ପ୍ରଶ୍ନରେ ମନ଼ମୋହନ କହିଛନ୍ତି, ନିର୍ବାଚନ ନେଇ କର୍ମୀମାନେ ସମସ୍ତେ କାମରେ ଲାଗି ପଡ଼ିଲେଣି। କର୍ମୀଙ୍କ ମଧ୍ୟରେ ଉଦ୍ଦିପନା ୧୦ ଗୁଣା ବଢ଼ି ଯାଇଛି। ନିର୍ବାଚନ ପାଇଁ ଆଉ ୨ମାସ ସମୟ ଅଛି। କର୍ମୀ ଆହୁରି ପରିଶ୍ରମ କରିବେ ମନମୋହନ ବୋଲି କହିଛନ୍ତି।

 

Get real time updates directly on you device, subscribe now.