fbpx

ଗୋଟିଏ ଗୁଳିରେ ଦୁଇଟି ଶିକାର କଲା BJP: ଶିନ୍ଦେ-ଅଜିତଙ୍କୁ ନେଇ ଆଗକୁ ଅସଲ ପରୀକ୍ଷା

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଅଜିତ ପାୱାରଙ୍କୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି । ଗୋଟିଏ ରାତି ଭିତରେ ବଦଳିଯାଇଛି ରାଜନୈତିକ ସମୀକରଣ । ଆଉ ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ । ଏଥିସହିତ ତାଙ୍କର କିଛି ସହଯୋଗୀ ଏନସିପି ବିଧାୟକ ମଧ୍ୟ ଏକନାଥ ଶିନ୍ଦେଙ୍କ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜଣାପଡ଼ିଛି ।

ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଦେବା ପରେ ଦଳରେ କଣଠେସା ହୋଇ ପଡ଼ିଥିଲେ ଅଜିତ । ଏଥିସହିତ ସଂଗଠନରେ ଅଜିତଙ୍କର କୌଣସି ପ୍ରକାରର ଦବଦବା ରହିନଥିଲା । ତେବେ ଏବେ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ବିଜେପି-ଏକନାଥ ଶିନ୍ଦେ-ଅଜିତଙ୍କ ମିଳିତ ମେଣ୍ଟ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଗୋଟିଏ ଗୁଳିରେ ଦୁଇଟି ଶିକାର କରିପାରିଛି । ଗୋଟିଏ ପଟେ ବିଜେପିକୁ ଶିନ୍ଦେ ଓ ଅଜିତଙ୍କ ସମର୍ଥନ ମିଳିପାରିଛି । ଅନ୍ୟପଟେ ଆଗାମୀ ଲଢ଼େଇ ପୂର୍ବରୁ ଦଳ ପାଇଁ ଏବେ ଏକ ପ୍ରକାରର ଭୟ ତୁଟି ଯାଇଛି । ଦଳ ଆସନ୍ତା ନିର୍ବାଚନରେ ସଫଳତା ହାସଲ କରିବା ନେଇ ଆଶାବାଦୀ ରହିଛି ।

ତେବେ କୁହାଯାଏ ରାଜନୀତିରେ ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ । ଆଜି କଥା କାଲିକୁ ନଥାଏ । ଏଭଳି ଅନେକ ଉଦାହରଣ ପୂର୍ବରୁ ଭାରତବର୍ଷରେ ଦେଖିବାକୁ ମିଳିଛି । ମେଣ୍ଟ ସରକାର ଅଧିକାଂଶ ସମୟରେ ଦୀର୍ଘ ବର୍ଷ ତିଷ୍ଠିପାରେ ନାହିଁ । ତେଣୁ ବିଜେପି, ଶିନ୍ଦେ ଓ ଅଜିତଙ୍କ କ୍ଷେତ୍ରରେ କ’ଣ ଘଟୁଛି ତାହା ଆଗକୁ ଜଣାପଡ଼ିବ । ଦୁଇଟି ବ୍ରହ୍ମାସ୍ତ୍ର ପ୍ରୟୋଗ କରି ବିଜେପି ମହାରାଷ୍ଟ୍ରର ‘ମହା ବିକାଶ ଅଘାଡ଼ି’କୁ ଚୁରମାର କରିଦେଇଛି । ଏବେ ଜଣାପଡ଼ିବ ବିଜେପି ଏହି ମେଣ୍ଟକୁ ନେଇ କେତେଦିନ ଚାଲିବ । ଆଗାମୀ ଦିନରେ ଶିନ୍ଦେ-ଅଜିତଙ୍କୁ ନେଇ ଯେ ପ୍ରତିଦ୍ୱନ୍ଦ୍ୱିତା ନ ଚାଲିବ ତାହା କିଏ କହିବ । ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି ।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ରାଜନୀତିରେ ଦେଖାଦେଇଥିବା ବିସ୍ଫୋରଣ ଏବେ ବିରୋଧୀଙ୍କ ଏକତା ଉପରେ ବଡ଼ ପ୍ରହାର କରିଛି । ଶିବସେନାର ଦଳୀୟ ଚିହ୍ନକୁ ନେଇ ଉଦ୍ଧବ-ଏକନାଥଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଏବେ ଏନସିପି ଦଳୀୟ ଚିହ୍ନକୁ ନେଇ ସୁପ୍ରିୟା-ଅଜିତଙ୍କ ମଧ୍ୟରେ ଲଢ଼େଇ ଚାଲିପାରେ । ପୂର୍ବରୁ ବିଜେପି କ୍ଷମତାରେ ରହିବାକୁ କେବଳ ଶିନ୍ଦେଙ୍କ ଉପରେ ଭରସା କରୁଥିଲା । ମାତ୍ର ଏବେ ବିଜେପିକୁ ଏକ ବିକଳ୍ପ ପ୍ରାର୍ଥୀ ଅଜିତ ମିଳିଯାଇଛନ୍ତି । ଫଳରେ ଏଭଳି ସ୍ଥିତିରେ ରାଜନୈତିକ ଅସ୍ଥିରତା ଦେଖାଦେଇପାରେ । ଆବଶ୍ୟକତା ଅନୁସାରେ ଜଣେ ନିଶ୍ଚିତ ଆଗକୁ ବଢ଼ିବ, ଜଣେ ପଛକୁ ହଟିବ । ୨୦୨୪ ନିର୍ବାଚନ ପୂର୍ବରୁ ସିଟ୍ ବଣ୍ଟନକୁ ନେଇ ଏହି ତିନି ଦଳ ମଧ୍ୟରେ ବିବାଦ ଦେଖାଦେଇପାରେ ।

୨୦୧୯ ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେ ଦେଇଥିବା ଝଟକା ଏବେ ବିଜେପି ଭୁଲି ନାହିଁ । ତେଣୁ ଏଥର ବିଜେପି ଅଧିକ ବିଧାନସଭା ଆସନରେ ଲଢ଼ିବାକୁ ପ୍ରୟାସ କରିବ । ଏ କ୍ଷେତ୍ରରେ ତିନି ଦଳଙ୍କ ସହମତି ନିହାତି ଆବଶ୍ୟକ । ଏହା ଅଜିତ ଓ ଶିନ୍ଦେଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆସନ୍ତା ବର୍ଷ ଅକ୍ଟୋବର ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେଣୁ ବିଜେପି ଏବେଠାରୁ ଦେଖି ଚାହିଁ ଗୋଟି ଚାଳନା କରିବ । ଦେବେନ୍ଦ୍ର ଫଡନବୀସଙ୍କ ପରି ଜଣେ ବିଜେପି ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏହା ନିଶ୍ଚିତ ଭାବେ ବିଜେପି ଚାହିଁବ । କୌଣସି ରାଜ୍ୟର ସରକାରରେ ସାନ ଭାଇ ହେବାକୁ ବିଜେପି କେବେ ବି ଚାହେଁ ନାହିଁ । ତେଣୁ ରିମୋଟକୁ ନିଜ ଆୟତ୍ତକୁ ଆଣିବାକୁ ହେଲେ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବା ନିହାତି ଜରୁରୀ ।

Get real time updates directly on you device, subscribe now.