fbpx

ଟାଣଟୁଣ ସଂସାରରେ ଚଳାଇବାକୁ ବିଜେପି ବିଧାୟିକା ଚନ୍ଦନା ବାଉରିଙ୍କ ଚାଲିଥିଲା ସଂଘର୍ଷ, ଜାଣିନଥିଲେ ମାସକୁ ତାଙ୍କ ଦରମା ଟଙ୍କା କେତେ, ଜାଣିବା ପରେ ହୋଇଗଲେ ଅବାକ୍‌

କୋଲକାତା, (ଓଡ଼ିଶା ଭାସ୍କର):  ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ଭାବେ ନିର୍ବାଚନରେ ଜିତିବା ପରେ ଚନ୍ଦନା ବାଉରି ଶପଥ ନେବାକୁ ଆସିଥିଲେ ବିଧାନସଭାକୁ । ଶପଥ ନେବା ସମୟରୁ ତ କରୋନା ପରିସ୍ଥିତି ପାଇଁ ଲକଡାଉନ ଚାଲିଛି । ସେଥିଲାଗି ଏଯାଏ ସେ ବିଧାନସଭାକୁ ଆସିନାହାନ୍ତି ।ଫଳରେ ଏବେ ସୁଦ୍ଧା ସେ ବିଧାୟିକା ଭାବେ ପ୍ରାପ୍ୟ ଦରମା ପାଇ  ନାହାନ୍ତି । ଜାଣନ୍ତି ବି ନାହିଁ ପ୍ରତି ମାସରେ କେତେ ଦରମା ବା ଭତ୍ତା ବାବଦରେ କେତେ ଟଙ୍କା ପାଇବେ । ଆଉ ଯେତେବେଳେ ଏହା ଜାଣିଲେ ସେ ଅବାକ୍‌ ହୋଇଗଲେ । ଆଉ କିପରି ଏତେ ଟଙ୍କା ଖର୍ଚ୍ଚ କରିବେ ତାହା ଭାବି ପାରୁ ନାହାନ୍ତି ।

ଶ୍ରୀମତୀ ବାଉରୀ କହିଛନ୍ତି, ଏତେ ଟଙ୍କା କଣ କରିବି ଭାବି ପାରୁନାହିଁ । କିନ୍ତୁ ଲୋକଙ୍କର ଯେଉଁଥିରେ ଭଲ ହେବ ତାହା ପ୍ରଥମ ଦରମା ଟଙ୍କାରେ କରିବି । ତା’ ପରର ଦରମା ମଧ୍ୟ ସେହି ଲୋକଙ୍କ ସେବାରେ ଖର୍ଚ୍ଚ କରିବେ । ଏତେ ଟଙ୍କା  ତାଙ୍କର ଦରକାର ପଡ଼ିବନି । ବାଁକୁଡ଼ା ଜିଲ୍ଳା  ଳତୋଡ଼ା ବିଧାନସଭା ଅଞ୍ଚଳ ପ୍ରାୟ ଗ୍ରାମାଞ୍ଚଳ । ତାହା ମଧ୍ୟରେ ଗଙ୍ଗାଜଳଘାଟି ବ୍ଲକର ଯେଉଁ ଗ୍ରାମରେ ଚନ୍ଦନାଙ୍କ ଘର ସେହି କେଲାଇ ପୂରା ନିମ୍ନବିତ୍ତମାନେ ବସବାସ କରନ୍ତି । ନିକଟତମ ସହର କହିଲେ ବାଁକୁଡ଼ା, ଏଠାରୁ ୩୨ କିମି ଦୂର । ହେଲେ ଚନ୍ଦନାଙ୍କ ଯୋଗୁଁ ଏବେ କେଲାଇ ଗ୍ରାମ ବିଖ୍ୟାତ । ରାଜ୍ୟର ଦରିଦ୍ର ବିଧାୟକମାନଙ୍କ ମଧ୍ୟରେ ଚନ୍ଦନା ଅନ୍ୟତମା । ପ୍ରାର୍ଥୀ ହେବାବେଳେ ସତ୍ୟାପାଠ ବେଳେ ଯେଉଁ ୩୨ ହଜାର ଟଙ୍କା ଜମା ଦେଇଥିଲେ ତାହାହିଁ ତାଙ୍କର ସମ୍ପତ୍ତି । ଏହା ବାଦ୍‌ ତାଙ୍କର ଆଉ କିଛି ନାହିଁ ।

ନିୟମ ଅନୁସାରେ କୋଲକାତାର ଷ୍ଟେଟ ବ୍ୟାଙ୍କର ନିର୍ଦ୍ଦିଷ୍ଟ ଶାଖାରେ ବିଧାୟକମାନଙ୍କ ଦରମା ଆକାଉଣ୍ଟ ଖୋଲାଯାଏ । କିନ୍ତୁ ଲକଡାଉନ୍‌ ଥିବାରୁ ଚନ୍ଦନା ଆଉ କୋଲାକାତା ଆସିପାରି ନାହାନ୍ତି । ଟେଲିଫୋନ ଯୋଗେ ଚନ୍ଦନା ପଚାରିଲେ ଯେ କେତେ ଟଙ୍କା ଦରମା ପାଇବେ ସେ ଜାଣି ନାହାନ୍ତି । ଏନେଇ ପ୍ରଶ୍ନ  କରିବାରେ ସେ ସରଳ ଭାବେ କହିଛନ୍ତି, କୌଣସି ଦିନ କଳ୍ପନା କରି ନଥିଲି ଯେ ବିଧାୟକ ହେବି ବୋଲି ।

ମୋଦିଜୀଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ପ୍ରଥମେ ବିଜେପି ଅଫିସ ଯାଇଥିଲେ । ତା’ପରଠାରୁ ଦଳର କାମ କରିଛନ୍ତି । ପ୍ରାର୍ଥୀ ହେବେ ବୋଲି ଭାବି ନଥିଲେ । ସମସ୍ତଙ୍କ ପ୍ରଚେଷ୍ଟାରେ ଜିତିଛି । ଦରମା ଓ ବିଭିନ୍ନ ଭତ୍ତା ବାବଦରେ ରାଜ୍ୟର ଜଣେ ବିଧାୟକ ମାସରେ ମୋଟ ୮୨ ହଜାର ଟଙ୍କା ପାଇଥାନ୍ତି । ଜୁନ ମାସ ମଧ୍ୟରେ ଆକାଉଣ୍ଟ ଖୋଲିଲେ ଯେଉଁଦିନଠାରୁ ଶପଥ ନେଇଛନ୍ତି, ସେହି ଦିନଠାରୁ ହିସାବ କରି ଜୁନରେ ଦରମା ପାଇବେ । ତାହା ମୋଟାମୋଟି ୧ ଲକ୍ଷ ଟଙ୍କା ପରେ ହେବ । ଏହା ଶୁଣି ସେ ଅବାକ୍‌ ହୋଇଯାଇ କହିଥିଲେ ଏତେ ଟଙ୍କା ଦରମା । କାରଣ ତାଙ୍କ ସ୍ୱାମୀ ଶ୍ରବଣ ବାଉରୀ ରାଜମିସ୍ତ୍ରି ଭାବେ କାମ କରି ଦୈନିକ ୪ଶହ ଟଙ୍କା ପାଇଥାନ୍ତି ଓ ଚନ୍ଦନା ଯୋଗାଡିଆ ଭାବେ ୨୫୦ ଟଙ୍କା ପାଆନ୍ତି । ୧୦୦ ଦିନର ସରକାରୀ କାମ ମଧ୍ୟ କରିଥାନ୍ତି । ବିଧାୟକ ଭାବେ ପ୍ରଥମ ଦରମା ପାଇ କ’ଣ କରିବେ ପ୍ରଶ୍ନ କରିବାରେ ସେ କିଛି ସମୟ ଚୁପ ହୋଇଗଲେ ।

କହିଲେ, କରାଯାଏ କୁହନ୍ତୁ ତ? ଆପଣଙ୍କର ଗାଡ଼ିଟିଏ ନାହିଁ, ଗାଡ଼ି କିଣନ୍ତୁ । ସେ କହିଲେ, ନା ନା ଗାଡ଼ିର ଦାମ ବହୁତ । ତାଙ୍କର ଦରକାର ନାହିଁ । ଯେଉଁଠିକୁ ଗଲେ ସ୍ୱାମୀ ବାଇକରେ ନେଇ ଯାଉଛନ୍ତି । ସୁରକ୍ଷା କର୍ମୀ ୪ଜଣ ମଧ୍ୟ ବାଇକରେ ତାଙ୍କ ପଛେ ପଛେ ଯାଇଥାନ୍ତି । ପୁଣି ନିର୍ବାଚନ ବେଳୁ ଜଣେ ରାଜ୍ୟ ପୁଲିସ କର୍ମୀ ଅଛନ୍ତି । ଘରେ ଗୋଟିଏ ଟିଭି ନାହିଁ । ନିର୍ବାଚନ ବେଳେ କିଣିଥିବା ମୋବାଇଲ୍‌ ଫୋନରେ ଖବର ଦେଖନ୍ତି । ଏଥର ଟିଭିଟିଏ ସେ କିଣିବେ ।ତେବେ ପ୍ରଥମ ଦରମା ଟଙ୍କାରେ ଲୋକଙ୍କ ପାଇଁ କିଛି କରିବାକୁ ତାଙ୍କର ଇଚ୍ଛା ରହିଛି । କାରଣ ପୁଅ, ସ୍ୱାମୀ, ଶାଶୂଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ ହେବନି । ଅବଶ୍ୟ ସୁରକ୍ଷା କର୍ମୀଙ୍କୁ ଖାଇବାକୁ ଦେବାକୁ ପଡ଼ୁଛି । ବାଁକୁଡ଼ାର ସାଂସଦ ଡ. ସୁଭାଷ ସରକାରଙ୍କୁ ପଚାରି ଯାହା କରିବେ ବୋଲି ଚନ୍ଦନା କହିଛନ୍ତି ।

Get real time updates directly on you device, subscribe now.