ରାଜ୍ୟସଭାରେ ଶକ୍ତିଶାଳୀ ହେଲା ବିଜେପି: ମୋଟ ଆସନ ସଂଖ୍ୟା ୯୬ରେ ପହଞ୍ଚିଲା, ଉପନିର୍ବାଚନରେ କିଏ କେଉଁ ରାଜ୍ୟରୁ ଜିତିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭାର ସମସ୍ତ ୧୨ଟି ଆସନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେବେ ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ୯ ଜଣ, କଂଗ୍ରେସର ଜଣେ, ଏନସିପି (ଅଜିତ ପୱାର)ର ଜଣେ ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ଜଣେ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ୯ଟି ରାଜ୍ୟରେ ୧୨ଟି ଆସନ ଆସନର ଉପନିର୍ବାଚନ ପୂର୍ବରୁ ସମସ୍ତ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ବାଜିମାତ କରିଛନ୍ତି । ଆସାମ, ବିହାର, ମହାରାଷ୍ଟ୍ରର ଦୁଇଜଣ ଲେଖାଏଁ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ତେଲେଙ୍ଗାନା ଓ ଓଡ଼ିଶାର ଗୋଟିଏ ଲେଖାଏଁ ପ୍ରାର୍ଥୀ ଜିତିଛନ୍ତି ।
ଏହି ଉପନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ଜାରି ରହିବ । ବିଜେପି ସଦସ୍ୟଙ୍କ ମଧ୍ୟରୁ ଆସାମରୁ ମିଶନ ରଞ୍ଜନ ଦାସ ଓ ରାମେଶ୍ୱର ତେଲୀ, ବିହାରରୁ ମନନ କୁମାର ମିଶ୍ରା, ହରିୟାଣାରୁ କିରଣ ଚୌଧରୀ, ମଧ୍ୟପ୍ରଦେଶରୁ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିୟନ, ମହାରାଷ୍ଟ୍ରରୁ ଧୈର୍ଯ୍ୟଶୀଳ ପାଟିଲ, ଓଡ଼ିଶାରୁ ମମତା ମହାନ୍ତ, ରାଜସ୍ଥାନରୁ ରବନୀତ ସିଂହ ବିଟ୍ଟୁ ଓ ତ୍ରିପୁରାରୁ ରାଜୀବ ଭଟ୍ଟାଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି । କଂଗ୍ରେସର ଅଭିଷେକ ମନୁ ସିଂଘଭୀ ତେଲେଙ୍ଗାନରୁ, ଏନସିପି (ଅଜିତ ପୱାର)ର ନୀତିନ ପାଟିଲ ମହାରାଷ୍ଟ୍ରରୁ ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହା ବିହାରରୁ ନିଦ୍ୱର୍ନ୍ଦ୍ୱରେ ଜିତିଛନ୍ତି ।
ତେବେ ୧୨ ଆସନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ଜିତିବା ପରେ ଏବେ ବିଜେପି ରାଜ୍ୟସଭାରେ ଶକ୍ତିଶାଳୀ ହୋଇଯାଇଛି । ଦଳୀୟ ସାଂସଦଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇ ୯୬ ହୋଇଯାଇଛି । ସେହିପରି ଏନଡିଏ ସଂଖ୍ୟା ବଢ଼ି ୧୧୨ ହୋଇଯାଇଛି । ମୋଟ ୨୪୫ ସଦସ୍ୟଙ୍କ ମଧ୍ୟରୁ ଏବେ ବି ୮ଟି ଆସନ ଖାଲି ରହିଛି । ସେଥିମଧ୍ୟରୁ ଜମ୍ମୁ କଶ୍ମୀରର ୪ଟି ଆସନ ଓ ୪ଟି ମନୋନୀତ ଆସନ ଖାଲି ରହିଛି । ରାଜ୍ୟସଭାରେ ବହୁମତ ସଂଖ୍ୟା ୧୧୯ ରହିଥିବା ବେଳେ ଏନଡିଏ ୬ ମନୋନୀତ ଓ ଜଣେ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ପ୍ରାପ୍ତ ହେବା ପରେ ଏନଡିଏ ବହୁମତ ଅଙ୍କ ଛୁଇଁ ସାରିଛି । ସେହିପରି ବିରୋଧୀ କଂଗ୍ରେସର ସାଂସଦଙ୍କ ସଂଖ୍ୟା ୨୭ରେ ପହଞ୍ଚି ଯାଇଛି ।