ଲୋକସଭାରେ ଚର୍ଚ୍ଚା ସମୟରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ଯୁକ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦୁର୍ଯ୍ୟୋଧନ ବୋଲି କହିଲେ ଏହି ସାଂସଦ
ନୂଆଦିଲ୍ଲୀ: ଦିଲ୍ଲୀର ଅଧିକାରୀମାନଙ୍କର ବଦଳି ଓ ପୋଷ୍ଟିଂ ଉପରେ ଅଧିକାର ସମ୍ବନ୍ଧିତ ବିଧେୟକ ଉପରେ ଗୁରୁବାର ଲୋକସଭାରେ ଚର୍ଚ୍ଚା ସମୟରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ଯୁକ୍ତି ତର୍କ ହୋଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ କଥାକୁ ମନେ ପକାଇ କଂଗ୍ରେସକୁ ଘେରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ତାଙ୍କ ବଙ୍ଗଳାର କଥା ଉଠାଇ ଟାର୍ଗେଟ କରିଥିଲେ । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସମ୍ବିଧାନର କଥା କହି ଏହି ବିଲକୁ ବିରୋଧ କରିଥିଲେ । ଏହାପରେ ଆଲୋଚନାରେ ଭାଗ ନେଇ ବିଜେପିର ଦିଲ୍ଲୀ ସାଂସଦ ରମେଶ ବିଧୁଡି ବହୁତ କଟୁ ଶବ୍ଦର ବ୍ୟବହାର କରି ଆପ୍ ସରକାରଙ୍କୁ ଟାର୍ଗେଟ କରିଥିଲେ । ମହାଭାରତର ଶ୍ଲୋକ ଓ ଚରିତ୍ରର ଉଦାହରଣ ଦେଇ ସାଂସଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦୁର୍ଯ୍ୟୋଧନ ବୋଲି କହିଥିଲେ ।
ଦକ୍ଷିଣ ଦିଲ୍ଲୀ ଆସନରୁ ବିଜେପି ସାଂସଦ ହୋଇଥିବା ରମେଶ ବିଧୁଡି କହିଥିଲେ ଦିଲ୍ଲୀ ଭାରତର ଦର୍ପଣ ଯେଉଁଠି ସବୁ ଦେଶର ଦୂତାବାସ ରହିଛି ଓ ସାରା ବିଶ୍ୱର ଲୋକ ଏଠାକୁ ଆସିଥାନ୍ତି ଓ ଏହାକୁ ଦେଖି ଭାବିଥାନ୍ତି ପୁରା ଭାରତ ଏହିପରି ହିଁ ହୋଇଥିବ । ତେଣୁ ଏହି ବିଲକୁ ଆଣିବା ଆବଶ୍ୟକ ଥିଲା । ବିଧୁଡି ମହାଭାରତର ଶ୍ଲୋକ ଶୁଣାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ଯ୍ୟୋଧନ କହିବା ସହ ଉଭୟଙ୍କ ମଧ୍ୟରେ ତୁଳନା କରିଥିଲେ । ସେ କହିଥିଲେ ମହାଭାରତରେ କୁହାଯାଇଛି ଯେତେବେଳେ ଧରିତ୍ରୀରେ ଅଧର୍ମ କାୟା ବିସ୍ତାର କରିଥାଏ ସେତେବେଳେ ଭଗବାନ ଅବତାର ଗ୍ରହଣ କରିଥାନ୍ତି । ଦିଲ୍ଲୀରେ ଗତ ୮ ବର୍ଷ ଧରି ଅଧର୍ମୀ ସରକାରଙ୍କ ଅଧର୍ମର ଅନ୍ତ କରିବା ଲାଗି ଏହି ବିଲ୍ ଅଣାଯାଇଛି ।
ମହାଭାରତର ଦୁର୍ଯ୍ୟୋଧନ ଛଳ କପଟର ସହିତ କ୍ଷମତା ଅଧିକାର କରିଥିଲା । ସେହିପରି ଦିଲ୍ଲୀରେ କ୍ଷମତାରେ ଥିବା ଦୁର୍ଯ୍ୟୋଧନ ଦିଲ୍ଲୀବାସୀଙ୍କୁ ବହୁତ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ସେ କହିଥିଲେ ପୁରା ଦିଲ୍ଲୀରେ ସିସିଟିଭି ଲଗାଇବେ, ଦିଲ୍ଲୀକୁ ପ୍ୟାରିସ କରିଦେବୁ ଇତ୍ୟାଦି ଇତ୍ୟାଦି । ଜନଲୋକପାଳ ବିଲ୍ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଦୁର୍ଯ୍ୟୋଧନ ଏବେ କହୁଛନ୍ତି ସେ ହେଉଛନ୍ତି ଦିଲ୍ଲୀର ମାଲିକ । ଏହା ସହିତ ବିଜେପି ସାଂସଦ ମଦ ଘୋଟାଲାର କଥା ଉଠାଇ ଆପ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ ଆହୁରି କହିଥିଲେ ଦୁନିଆରେ ଏପରି କୌଣସି ମୁଖ୍ୟମନ୍ତ୍ରୀ ଅଛନ୍ତି କି ଯାହାଙ୍କ ପାଖରେ କୌଣସି ବିଭାଗ ନାହିଁ । ଯଦି ପରିବାରର ମୁଖିଆ କୌଣସି ଦାୟିତ୍ୱ ନ ନିଅନ୍ତି ତେବେ ତାଙ୍କ ଠାରୁ ଆଯୋଗ୍ୟ ବୋଧହୁଏ ଆଉ କେହି ନାହିଁ ।