ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ନଭେମ୍ବର ମାସ ୨୦ ତାରିଖରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହାପରେ ନଭେମ୍ବର ୨୩ ତାରିଖରେ ଭୋଣ ଗଣତି କରାଯିବ । ତେବେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ମୋଟ ୯୯ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ନାଗପୁର ସାଉଥ-ୱେଷ୍ଟ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ଏହା ପୂର୍ବରୁ ବିଜେପି ଗତକାଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା ।

ସୂଚନାଯୋଗ୍ୟ ଯେ, ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା (ଶିନ୍ଦେ ଗ୍ରୁପ) ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଅଜିତ ଗ୍ରୁପ)ଙ୍କ ସହ ମେଣ୍ଟ କରି ବିଜେପି ଲଢ଼େଇ କରିବେ । ଆସନ ଭାଗବଣ୍ଟାକୁ ନେଇ କିଛିଦିନ ତଳେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ତା’ପରେ ଆଜି ବିଜେପି ତା’ର ପ୍ରଥମ ଲିଷ୍ଟ ଜାରି କରିଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୯୯ ଜଣ ପ୍ରାର୍ଥୀଙ୍କ ତାଲିକା ଦଳ ଜାରି କରିଛି । ଆଗାମୀ ଦିନରେ ଦଳ ଅବଶିଷ୍ଟ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବ ।