fbpx

ନାଗାଲାଣ୍ଡ, ତ୍ରିପୁରାରେ ବିଜେପିର ଘର ବାହୁଡ଼ା, ମେଘାଳୟରେ ଏନ୍‌ପିପି ସହିତ ମେଣ୍ଟ ସରକାର

ନୂଆଦିଲ୍ଲୀ: ଉତ୍ତର-ପୁର୍ବ ତିନି ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ଫେବୃଆରୀରେ ହୋଇଥିବା ନିବାଚନର ଫଳାଫଳ ଆଜି ଆସିଛି। ଏଥିରେ ତିନି ରାଜ୍ୟରେ ବିଜେପି ସରକାରରେ ରହିବା ଏକ ପ୍ରକାର ନିଶ୍ଚିତ ହଇିଛି। ତ୍ରିପୁରାରେ ବିଜେପି ଏବଂ ନାଗାଲାଣ୍ଡରେ ବିଜେପି ଓ ଏନ୍‌ଡିପିପି ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ତେବେ ମେଘାଳୟରେ କୋଣସି ପାର୍ଟିକୁ ବହୁମତ ମିଳି ନଥିବା ବେଳେ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଏକ ମିଳିତ ସରକାର ଗଠନ ପାଇଁ ବିଜେପିକୁ ପ୍ରସ୍ତାବ ଦେଇଛନ୍ତି। ସାଙ୍ଗମା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ୍ କରି ସରକାର ଗଠନ ପାଇଁ ତାଙ୍କ ସମର୍ଥନ ଲୋଡିଥିଲେ।

ଏହାପରେ ମେଘାଳୟରେ ସରକାରୀ ଗଠନ ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଟ୍ୱିଟ୍ କରି କହିଛନ୍ତି ଯେ ମେଘାଳୟରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଷ୍ଟ୍ରୀୟ ଜନତା ପାର୍ଟି (ଏନଏନପି) କୁ ସମର୍ଥନ କରିବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି।

ଏଠାରେ ଏନ୍‌ପିପି ୨୬ ଆସନରେ ବିଜୟୀ ହୋଇଥିବା ବେଳେ ୟୁନାଇଟେଡ ଡେମୋକ୍ରାଟିକ୍ ପାର୍ଟି ୧୧, ତୃଣମୁଳ କଂଗ୍ରେସ ୫, କଂଗ୍ରେସ ୫ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨ ଆସନରେ ବିଜୟୀ ହୋଇଛି।

ସେପଟେ ତ୍ରିପୁରା-ନାଗାଲାଣ୍ଡରେ ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ତ୍ରିପୁରାକୁ ହୃଦୟରୁ ଧନ୍ୟବାଦ। ସ୍ଥିରତା ଏବଂ ବିକାଶ ପାଇଁ ଏହି ମତଦାନ। ତ୍ରିପୁରାରେ ବିକାଶ ପାଇଁ ବିଜେପି କାର୍ଯ୍ୟ ଜାରି ରଖିବ। ରାଜ୍ୟରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୁଁ ଗର୍ବିତ।

ବର୍ତ୍ତମାନ ସୁଦ୍ଧା ନିବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚାନ ଅନୁଯାୟୀ, ତ୍ରିପୁରାରେ ବିଜେପି ୩୨ ଟି ଆସନ ଜିତିଛି। ଏଥିସହିତ ସିପିଆଇ (ଏମ୍‌) ୧୧ ଟି ସିଟ୍ ଜିତିଛି ଏବଂ ୩ ଟି ଆସନରେ କଂଗ୍ରେସ ବିଜୟ ପାଇଛି। ଏହାବାଦ୍ ଟିପ୍ରା ମୋଥା ପାର୍ଟି ୮ ଟି ସିଟ୍ ଜିତିଛି ଏବଂ ଆଇପିଏଫ୍‌ଟି ଗୋଟିଏ ଆସନରେ ବିଜୟୀ ହୋଇଛି।

ସେହିଭଳି ନାଗାଲାଣ୍ଡରେ ବିଜେପି ଓ ଏନ୍‌ଡିପିପି ମେଣ୍ଟ ସରକାର ଗଠନ କରିବା ପାଇଁ ବହୁମତ ହାସଲ କରିଛନ୍ତି। ଏଠାରେ ବିଜେପି ୧୨ ଆସନରେ ବିଜୟୀ ହୋଇଥିବା ବେଳେ ଏନ୍‌ଡିପିପି ୨୫ ଆସନରେ ବିଜୟୀ ହୋଇଛି।

Get real time updates directly on you device, subscribe now.