fbpx

ଆସନ୍ତା ୨୨କୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଓଡ଼ିଶା ଭାସ୍କର: ଆସନ୍ତା ୨୨ ତାରିଖକୁ ଘୁଞ୍ଚିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ଦିନ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ଘୋଷଣା କରାଯିବ । ଏଥର ପ୍ରାର୍ଥୀ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ସାମିଲ ହେବା ନେଇ ଆଶା କରାଯାଉଛି । ଓଡ଼ିଶାର ବିଜେପି ଟିକେଟ୍ ନେଇ ମଙ୍ଗଳବାର ରାଜ୍ୟ ନେତୃତ୍ୱଙ୍କ ସହ ରାତି ଅଧ ପର୍ଯ୍ୟନ୍ତ ବୈଠକ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅମିତ ଶାହ ଆସନ ୱାରୀ ଆଲୋଚନା କରିବା ସହ ପ୍ରତି ନିର୍ବାଚନମଣ୍ଡଳୀର ସ୍ଥିତି ବୁଝିଥିବା ସୂଚନା ମିଳିଛି । ସୋମବାର ମଧ୍ୟ ରାତି ୨ଟା ପର୍ଯ୍ୟନ୍ତ ମଧ୍ୟ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ନେତୃତ୍ୱ ।

ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । କିନ୍ତୁ ୨୬୭ ଆସନ ମଧ୍ୟରୁ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ନଥିଲା । ଆଉ ଚର୍ଚ୍ଚା ହେଉଥିଲା ବିଜେଡି-ବିଜେପି ମେଣ୍ଟ ପାଇଁ ନାଁ ଘୋଷଣା ବିଳମ୍ବ ହେଉଛି । ତେବେ ପ୍ରାର୍ଥୀ ତାଲିକା ଯେତେ ବିଳମ୍ବ ହେବ, ମେଣ୍ଟ ଚର୍ଚ୍ଚା ସେତେ ଅଧିକ ହେବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ତେଣୁ, ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ନେତାଙ୍କ ନାଁ ଘୋଷଣା ହେଉଛି କି ଆହୁରି ବିଳମ୍ବ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.