ବିପଦରେ ସହଯୋଗୀ ଦଳଙ୍କ ସହିତ ବିଜେପିର ସମ୍ପର୍କ: ତାମିଲନାଡୁ, ହରିୟାଣା ଏବଂ ମହାରାଷ୍ଟ୍ରରେ ମୁଣ୍ଡ ଟେକିଲାଣି ବିବାଦ

ନୂଆଦିଲ୍ଲୀ: କର୍ଣ୍ଣାଟକ ପରାଜୟ ପରେ ବିଜେପି ପାଇଁ ଏବେ ଅନ୍ୟ ରାଜ୍ୟମାନଙ୍କରେ ସଙ୍କଟ ବଢିବାରେ ଲାଗିଛି । ଚଳିତ ବର୍ଷ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ତାମିଲନାଡୁ, ହରିୟାଣା ଏବଂ ମହାରାଷ୍ଟ୍ରରେ ଦଳ ପାଇଁ ସୃଷ୍ଟି ହୋଇଛି ସହଯୋଗି ଦଳମାନଙ୍କ ସହିତ ସମ୍ପର୍କ ସଙ୍କଟ । ସବୁଠୁ ବଡ଼ କଥା ହେଉଛି ଏହି ଘଟଣଅକ୍ରମ ଏପରି ସମୟରେ ସୃଷ୍ଟି ହୋଇଛି ଯେଉଁ ସମୟରେ ୨୦୨୪ ଲୋକସଭା ନିର୍ବାଚନ ହାବା ଜୋର ଧରୁଛି ଏବଂ ବିରୋଧୀମାନେ ଏକଜୁଟ୍ ହେବା କଥା କହୁଛନ୍ତି ।

ତାମିଲନାଡୁ: ତାମିଲନାଡୁ ବିଜେପି ମୁଖ୍ୟ କେ. ଅନନାମାଲାଇ ରାଜ୍ୟର ଅନେକ ପୂର୍ବ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି । ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ସମୟକାଳ ପାଇଁ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା । ବିଶେଷ କଥା ହେଉଛି ସେହି ସମୟରେ ସ୍ୱର୍ଗତ ଜୟଲଳିତା ସରକାରରେ ଥିଲେ । ଏବେ ଏହି ପ୍ରସଙ୍ଗରେ ପୁଣିଥରେ ବିଜେପି ଏବଂ ଏଆଇଡିମେ୍‌କେ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ପୂର୍ବତନ ମନ୍ତ୍ରୀ ଡି ଜୟକୁମାର ଅସନ୍ତୋଷ ବ୍ୟକ୍ତ କରି ଦିଲ୍ଲୀ ନେତୃତ୍ୱଙ୍କୁ ଏହା ଉପରେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଏଆଇଏଡିଏମକେ-ବିଜେପି ମିଳିତ ମଞ୍ଚ କୌଣସି ଆସନ ଜିତିବା ଉଚିତ ନୁହେଁ ଏବଂ ନରେନ୍ଦ୍ର ମୋଦୀ ଆଉ ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ କି? ସେମାନଙ୍କର କାର୍ଯ୍ୟକଳାପ ଏହି ଦିଗକୁ ଯାଉନାହିଁ କି? ସେ ଅନ୍ନାମଲାଇଙ୍କ ବିବୃତ୍ତିକୁ ଗ୍ରହଣୀୟ ନୁହେଁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ହରିୟାଣା: ଜନନାୟକ ଜନତା ପାର୍ଟି ସହିତ ହରିୟାଣାରେ ବିଜେପି ସରକାରରେ ଥିବା ବେଳେ ଦୁଶନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଅଟନ୍ତି । ଏବେ ବିଜେପିର ରାଜ୍ୟ ଦାୟିତ୍ୱରେ ଥିବା ବିପ୍ଲାବ କୁମାର ଦେବର ସ୍ୱାଧୀନ ବିଧାୟକଙ୍କ ସହିତ ସାକ୍ଷାତ ରାଜନୈତିକ ପାଣୀପାଗକୁ ଗରମ କରିଛି । ଏହା ସହିତ ସେ ଉଚାନା ଆସନରୁ ବିଜେପି ପ୍ରାର୍ଥୀଙ୍କ ବିଜୟ ଦାବି କରିଛନ୍ତି । ବିଶେଷ କଥା ହେଉଛି ଚୌଟାଲାଙ୍କ ଏହି ଆସନ ଉପରେ ଦବଦବା ରହିଛି ଏବଂ କେବଳ ଏତିକି ନୁହେଁ ସେ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିପାରନ୍ତି । କୁହାଯାଉଛି ଯେ କୁସ୍ତିଯୋଦ୍ଧାଙ୍କ ଧାରଣା ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ଦୂରତା ବୃଦ୍ଧି କରିଛି । ତେବେ ଉଭୟ ଚୌଟଲା ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମତଭେଦକୁ ଅସ୍ୱୀକାର କରୁଛନ୍ତି ।

ମହାରାଷ୍ଟ୍ର: ଗତ ବର୍ଷ ଜୁନ୍‌-ଜୁଲାଇରେ ସରକାରଙ୍କୁ ଆସିଥିବା ବିଜେପି ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳ ମଧ୍ୟରେ ଏବେ ଜୋରଦାର ବୟାନବାଜି ଚାଲିଛି । ଏହି ନୂତନ ସଙ୍କଟ ସିନ୍ଦେ ଗୋଷ୍ଠୀର ମନ୍ତ୍ରୀଙ୍କ ପ୍ରଦର୍ଶନ ଯୋଗୁଁ ଉପୁଜିଥିବା ଜଣାପଡିଛି । ଏକ ଗଣମାଧ୍ୟମ ରିପୋର୍ଟରେ ସୂତ୍ରରୁ ପ୍ରକାଶ ଯେ, ଶିବସେନା ମନ୍ତ୍ରୀଙ୍କ କାର୍ଯ୍ୟ ପ୍ରଣାଳୀ ଏବଂ କାର୍ଯ୍ୟଦକ୍ଷତା ଉପରେ ବିଜେପି ହାଇକମାଣ୍ଡ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଭଳି ପରିସ୍ଥିତିରେ ଦୁଇ ଦଳ ମଧ୍ୟରେ ବିବାଦ ବଢିବାର ସମ୍ଭାବନା ରହିଛି ।
ଡୋମ୍ବିଭଲିରେ ସ୍ଥାନୀୟ ବିଜେପି ନେତାଙ୍କ ପ୍ରଦର୍ଶନ ମଧ୍ୟ ଉଭୟ ଦଳରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ବାକ୍ ବିବାଦ ଏତେ ପରିମାଣରେ ପହଞ୍ଚିଛି ଯେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ପୁଅ ତଥଅ ସାଂସଦ ଶ୍ରୀକାନ୍ତ ସିନ୍ଦେ ଇସ୍ତଫା ଦେବା ବିଷୟରେ ମଧ୍ୟ କହିଥିଲେ ।