fbpx

(Video)ଇସ୍ରାଏଲ ଦୂତାବାସରେ ନିକଟରେ ବିସ୍ଫୋରଣ! ଘଟଣାସ୍ଥଳରୁ ମିଳିଲା ସନ୍ଦିଗ୍ଧ ଚିଠି

ନୂଆଦିଲ୍ଲୀ: ଭାରତୀୟ ଇସ୍ରାଏଲ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଗତକାଲି ସନ୍ଧ୍ୟା ପ୍ରାୟ ୫.୪୫ରେ ଘଟିଥିଲା । ଏ ନେଇ ଡ୍ୟୁଟିରେ ଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେବା ପରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ, ବମ ସ୍କ୍ୱାର୍ଡ଼ ଏବଂ କ୍ରାଇମ ଟିମ ସେଠାରେ ପହଞ୍ଚିଥିଲେ । କିନ୍ତୁ ଘଟଣା ସ୍ଥଳରେ ପୁଲିସକୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ବିସ୍ଫୋରକ ମିଳିନାହିଁ । ପୁଲିସ ଏ ନେଇ ଘଟଣା ସ୍ଥଳରେ ଛାନଭିନ ଜାରି ରଖିଛି । ଖୁବ୍ ଶୀଘ୍ର ଫରେନସିକ୍ ଲାବୋରେଟୋରୀର ବିଶେଷଜ୍ଞମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଡ୍ୟୁଟିର ଥିବା ପୁଲିସ ଅଧିକାରୀ ଜଣଙ୍କ ହଠାତ ଦୂତାବାସ ପଛପଟରେ ଏକ ବିସ୍ଫୋରଣ ହେବାର ଶୁଣିବାକୁ ପାଇଥିଲେ । ତେବେ ଏହା ପରେ ସେ ପୁଲିସ କାର୍ଯ୍ୟାଳୟକୁ ଫୋନ କରି ଏବାବଦରେ ସୂଚନା ଦେଇଥିଲେ । କିନ୍ତୁ ପୁଲିସକୁ ଘଟଣାସ୍ଥଳରେ କୌଣସି ପ୍ରକାର ବିସ୍ଫୋରକ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବା ସୂଚନା ମିଳିଛି ।

ଘଟଣା ଘଟିବାର କିଛି ସମୟ ପରେ ଇସ୍ରାଏଲ ଦୂତାବାସ ନିକଟରୁ ଏକ ଚିଠି ମିଳିଥିଲା । ତେବେ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ଚିଠିରେ ଦୂତାବାସ ଏହି ଚିଠିରେ ଦୂତାବାସ ବିଷୟରେ ଅପଶବ୍ଦ ତଥା ଅପମାନଜନକ ଲେଖା ଯାଇଥିଲା । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଚିଠିରେ କ’ଣ ଲେଖାଯାଇଛି ତାହା ପ୍ରକାଶ କରାଯାଇନାହିଁ । କିନ୍ତୁ ଅନୁସନ୍ଧାନକାରୀମାନେ ଘଟଣାର ଗମ୍ଭୀରତାକୁ ବୁଝି ଏହାକୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି । ତେବେ ଏହି ଚିଠି ଉପରେ ଅଙ୍କା ଯାଇଥିବା ଏକ ପତାକା ପୁଲିସ ପାଇଁ ଚିନ୍ତା ସୃଷ୍ଟି କରିଛି ।

ଏହି ଅନୁସନ୍ଧାନରେ ପୁଲିସ ଏବଂ ଦୂତାବାସର ସମସ୍ତ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା କହିଛନ୍ତି ଦୂତାବାସର ଜନୈକ ପ୍ରବକ୍ତା । ତେବେ ଏହି ଅଞ୍ଚଳର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ସମସ୍ତ ପ୍ରମାଣ ସଂଗ୍ରହ କରି ତାହାକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଇଥିବା ପୋଲିସ କହିଛି। ତେବେ ଏପରି ଭାବରେ ଦୂତାବାସ ନିକଟରେ ଏକ ଚିଠି ଏବଂ ଏଥିରେ ଅଙ୍କା ହୋଇଥିବା ପତାକାର ଚିତ୍ର ବର୍ତ୍ତମାନ ପୁଲିସକୁ ଚିନ୍ତାରେ ପକାଇଛି ।

ତେବେ ଏହା ପୂର୍ବରୁ ୨୦୨୧ ମସିହାରେ ମଧ୍ୟ ଏକ ଛୋଟ ଧରଣର ବିସ୍ଫୋରଣ ଇସ୍ରାଏଲ ଦୂତାବାସ ପରିସରରେ ହୋଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେବେ ମଧ୍ୟ ଏପରି ଏକ ଚିଠି ଦୂତାବାସ ନିକଟରୁ ଜବତ କରାଯାଇଥିଲା । ଏହି ବିସ୍ଫୋରଣ ପରେ ଦୂତାବାସ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଦିଆଯାଇଛି । ତେବେ ବର୍ତ୍ତମାନ ଦୂତାବାସର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି ।

Get real time updates directly on you device, subscribe now.