fbpx

ପ୍ରେମରେ ଅନ୍ଧ ମହିଳା : ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ପାକିସ୍ତାନୀ ପ୍ରେମିକ ପାଇଁ ଡେଇଁଲେ ଭାରତ ସୀମା

ନୂଆଦିଲ୍ଲୀ: ପାକିସ୍ତାନୀ ମହିଳା ସୀମା ହାଇଦରକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି । କିନ୍ତୁ ଏଥର ପ୍ରେମରେ ଅନ୍ଧ ହୋଇ ଜଣେ ଭାରତୀୟ ମହିଳା ପ୍ରେମିକକୁ ଭେଟିବା ପାଇଁ ପାକିସ୍ତାନ ପଳେଇଛନ୍ତି । ଫେସବୁକ ବନ୍ଧୁଙ୍କ ପ୍ରେମରେ ପଡି ପ୍ରେମିକଙ୍କୁ ଭେଟିବା ପାଇଁ ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ପାକିସ୍ତାନରେ ପହଞ୍ଚି ଯାଇଛନ୍ତି ଏହି ମହିଳା ।

ରାଜସ୍ଥାନର ଭିୱାଡିରେ ରହୁଥିବା ୩୫ ବର୍ଷିୟ ମହିଳା ଅଞ୍ଜୁ ନିଜ ଫେସବୁକ୍ ପ୍ରେମିକ ନସରୁଲ୍ଲାହଙ୍କ ପ୍ରେମରେ ପଡି ପାକିସ୍ତାନ ପଳାଇଛନ୍ତି । ଅଞ୍ଜୁ ଏବେ ପାକିସ୍ତାନର ଖୈବର ପଙ୍ଖତୁନଖ୍ୱାରେ ଥିବା ଜଣା ପଡିଛି । ସେଠାରେ ମେଡିସିନ ରିପ୍ରେଜେଣ୍ଟେଟିଭ୍ ଥିବା ନସରୁଲ୍ଲାହଙ୍କ ସହ ରହିବା ପାଇଁ ଅଞ୍ଜୁ ନିଷ୍ପତ୍ତି ନେଇଛନ୍ତି । ତେବେ ଅଞ୍ଜୁ ପାକିସ୍ତାନ ଯିବା ପାଇଁ ମେ ୪ରେ ପାକିସ୍ତାନ ଦ୍ୱାରା ଭିସା ଜାରି ହୋଇଥିଲା । ଏହି ଭିସାର ଅବଧି ୯୦ ଦିନ ରହିଛି ଏବଂ ସେ ୱାଘା ବର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଛନ୍ତି ।

ଅଞ୍ଜୁ କହିଛନ୍ତି ସେ ନସରୁଲ୍ଲାହଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଅନ୍ୟପକ୍ଷେ ଅଞ୍ଜୁ ତାଙ୍କ ପରିବାରକୁ ମିଛ କହି ଘର ଛାଡିଥିବା ଜଣା ପଡିଛି । ସେ ତାଙ୍କ ସ୍ୱାମୀଙ୍କୁ ଜୟପୁରରେ ଥିବା ବନ୍ଧୁକୁ ଦେଖା କରିବାକୁ ଯାଉଥିବା କହି ପାକିସ୍ତାନରେ ପଳାଇଛନ୍ତି ।

Get real time updates directly on you device, subscribe now.