ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣା; ଦୁର୍ଘଟଣା ନୁହେଁ ଥିଲା ହତ୍ୟା ଷଡ଼ଯନ୍ତ୍ର: ବଲାଙ୍ଗିର ଏସପି

ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗିର ପୋଲିସ । ଆର.ଟି.ଓ ଅଫିସ ଛକରେ ହୋଇଥିବା ସିରିଜ୍ ଦୁର୍ଘଟଣା ଏକ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ଥିଲା । ଘଟଣାର ମାଷ୍ଟର ମାଇଣ୍ଡ ଚିତ୍ତ ମହାନ୍ତିକୁ ଗିରଫ କରିଛି ପୋଲିସ । ଚିତ୍ତରଞ୍ଜନ ମହାନ୍ତି ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ । ସେ ହିଁ ହତ୍ୟା ଉଦ୍ୟମ କରି ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା । ଗଣମାଧ୍ୟମ ସମ୍ମୁଖରେ ବଲାଙ୍ଗିର ଏସ୍ପି ନୀତିନ୍ କୁଶଲକର ଏପରି ଚାଞ୍ଚଲ୍ୟକର ସୂଚନା ଦେଇଥିବା ବେଳେ ସିସିଟିଭି ଫୁଟେଜରୁ ମଧ୍ୟ ଏହା ସ୍ପଷ୍ଟ ହେଉଛି । ଏସ୍ପି ନୀତିନ୍ କୁଶଲକର ଏନେଇ ସ୍ପଷ୍ଟ କରିଛନ୍ତି ।

ଜମିଜମା ବିବାଦରୁ ହୋଇଥିବା ଏହି ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ରରେ ଚିତ୍ତରଞ୍ଜନଙ୍କ ସମେତ ୩ ଜଣଙ୍କର ସମ୍ପୃକ୍ତି ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ଚିତ୍ତର ଏବେ ଗୋଡ଼ ଭାଙ୍ଗିଥିବା ବେଳେ ବଲାଙ୍ଗିର ପୋଲିସ ହେପାଜତରେ ତା’ର ଚିକିତ୍ସା ଚାଲିଛି । ଗତକାଲି ପୁଲିସ୍ ୨ ଜଣଙ୍କୁ ଆଣି ପଚରାଉଚରା କରୁଥିବା ବେଳେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି । ଏଠାରେ ଏହି ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଚିତ୍ତକୁ ଆଉ ୨ ଜଣ ସହଯୋଗ କରିଥିବା ଜଣାପଡ଼ିଛି । ସେମାନଙ୍କୁ ବର୍ତ୍ତମାନ ପୋଲିସ ଖୋଜୁଛି ।

ଗତ ୨୧ ତାରିଖ ଶନିବାର ଦିନ ୧୨ ଟା ସମୟରେ ଆର.ଟି.ଓ ଅଫିସ ଛକଠାରେ ଏକ ସିରିଜ ଦୁର୍ଘଟଣା ଘଟିଥିଲା  । ପ୍ରଥମେ ମିନି ଟ୍ରକଟି ଭାରସାମ୍ୟ ହରାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଥିଲା । ପରେ କିନ୍ତୁ ଏହା ହତ୍ୟା ଷଢଯନ୍ତ୍ର ବୋଲି ଚର୍ଚ୍ଚା ହୋଇଥିଲା । ଆହତ ସୋନୁ ନାଏକଙ୍କ ଅଭିଯୋଗ ପରେ ବଲାଙ୍ଗିର ପୁଲିସ ତନାଘନା ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍ କୁ ଆଧାର କରି ଜାଣି ଶୁଣି ଗାଡ଼ି ମଡାଯାଇଥିବା ଜାଣିବା ପରେ ଚିତ୍ତ ମହାନ୍ତିକୁ ଧରିବାକୁ ପ୍ରୟାସ କରିଥିଲା ପୋଲିସ ।

ଗତ ଶନିବାର ହୋଇଥିବା ଏହି ଦୁର୍ଘଟଣା ଯେ ଦୁର୍ଘଟଣା ନୁହେଁ, ତାହା ପ୍ରଥମରୁ ହିଁ ସନ୍ଦେହ ହେଉଥିଲା । ଏହା ଏକ ସନ୍ଦେହଜନକ ଦୁର୍ଘଟଣା ବୋଲି ବଲାଙ୍ଗିର ପୋଲିସ ତଦନ୍ତରୁ ଜାଣିବା ପରେ ଏହାର ଅଧିକ ତଦନ୍ତ ପାଇଁ ଶନିବାର ଅପରାହ୍ନରେ ଏକ ଟିମ୍ ମେଡିକାଲରେ ପହଞ୍ଚିଥିଲା । ମାତ୍ର ସେତେବେଳେ ସେଠାରେ ଚିତ୍ତ ନ ଥିବା ବେଳେ ସେ ବିଶାଖାପାଟଣା ପଳାଇବାକୁ ଉଦ୍ୟମ କରୁଥିଲା । ଏକଥା ଜାଣିପାରି ବଲାଙ୍ଗିର ପୁଲିସ ଥୁଆମୁଳ ପୁଲିସ୍ ସହାୟତାରେ ତାକୁ ଓଡ଼ିଶା- ଆନ୍ଧ୍ର ବର୍ଡରରୁ ବଲାଙ୍ଗିର ଅଣାଯାଇଛି । ଏବେ ତା’ର ଚିକିତ୍ସା ଚାଳିଥିବା ବେଳେ ଚିତ୍ତ ସୁସ୍ଥ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍ପି ।