ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସୂଚନାଦାତାଙ୍କୁ ଅନେକ ବିପଦପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ୁଛି । ଏଥିପାଇଁ ସେମାନଙ୍କୁ ପୁରସ୍କୃତ କରାଯିବା ଉଚିତ୍ । ହାଇକୋର୍ଟର ଏହି ନିର୍ଦ୍ଦେଶ ଜଣେ ସୂଚନାଦାତାଙ୍କ ବିଧବା ପତ୍ନୀଙ୍କ ଆବେଦନ ଉପରେ ଆସିଛି । ମହିଳାଙ୍କ ସ୍ୱାମୀ (ସୂଚନାଦାତା) ୧୯୯୧ ମସିହାରେ ହୀରା ଚୋରା ଚାଲାଣ ବିଷୟରେ କଷ୍ଟମ ବିଭାଗକୁ ସୂଚନା ଦେଇଥିଲେ, ଯେଉଁଥିରେ କଷ୍ଟମ ବିଭାଗ ଚଢ଼ାଉ କରି ପ୍ରାୟ ୯୦ ଲକ୍ଷ ଟଙ୍କା ମୂଲ୍ୟର ହୀରା ଉଦ୍ଧାର କରିଥିଲା ।
ତାଙ୍କ ପତ୍ନୀ କହିଛନ୍ତି ଯେ, ୨୦୧୦ ରେ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀ (ସୂଚନାଦାତା) ପୁରସ୍କାର ପାଇଁ ସମ୍ପୃକ୍ତ ବିଭାଗର ଚକ୍କର କାଟିଥିଲେ । ତାଙ୍କ ସ୍ୱାମୀଙ୍କୁ ପ୍ରଥମେ ପ୍ରଶାସନ ପକ୍ଷରୁ ତିନି ଲକ୍ଷ ଟଙ୍କା ପାଇଥିଲେ । ଦୁର୍ଭାଗ୍ୟବଶତ ୧୯୯୨ରେ ତାଙ୍କ ସ୍ୱାମୀ ଏକ ଦୁର୍ଘଟଣାରେ ଦୃଷ୍ଟି ଶକ୍ତି ହରାଇଥିଲେ, ଯେଉଁ କାରଣରୁ ସେ ନିୟମିତ ଭାବରେ ବକାୟା ରାଶି ପାଇଁ ପ୍ରଶାସନ ନିକଟକୁ ଯାଇପାରିନଥିଲେ । ସେ କମିଶନରଙ୍କୁ ମଧ୍ୟ ନିବେଦନ କରିଥିଲେ କି, ୧୯୯୨ ରେ ଏକ ଦୁର୍ଘଟଣାରେ ସେ ଦୃଷ୍ଟିଶକ୍ତି ହରାଇଛନ୍ତି, ଏପରି ପରିସ୍ଥିତିରେ ତାଙ୍କୁ ଶୀଘ୍ର ସାହାଯ୍ୟ କରାଯାଉ । କିନ୍ତୁ ୨୫ ଅଗଷ୍ଟ ୨୦୧୦ ରେ ତାଙ୍କର ଦେହାନ୍ତ ହୋଇଗଲା ।
ଏହା ପରେ ତାଙ୍କ ପତ୍ନୀ ନ୍ୟାୟ ଦାବି କରି ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ । ତାଙ୍କ ପତ୍ନୀ କୋର୍ଟଙ୍କୁ କହିଛନ୍ତି ଯେ, ସୂଚନାଦାତାଙ୍କୁ ଦିଆଯାଇଥିବା ପୁରସ୍କାର ପଲିସି ଅନୁରୂପ ନୁହେଁ ।
ତାଙ୍କ ପତ୍ନୀଙ୍କ ଆବେଦନରେ ପ୍ରଥମ ଥର ପାଇଁ ଜବାବ ଦେଇ ପ୍ରଶାସନ ତାଙ୍କ ସ୍ୱାମୀ (ସୂଚନାଦାତା) କୁ ବକେୟା ପୁରସ୍କାର ରାଶି ପ୍ରଦାନ ନକରିବାର କାରଣ ଉଲ୍ଲେଖ କରିଥିଲା । ପ୍ରଶାସନର କହିବା ମୁତାବକ, ୨୦୧୪ ରେ ପୁରସ୍କାର କମିଟି ଆବେଦନକାରୀଙ୍କ ସ୍ୱାମୀ ପ୍ରକୃତ ସୂଚନାଦାତା କି ନୁହେଁ ବୋଲି ଆଶଙ୍କା ପ୍ରକାଶ କରିଥିଲେ ।
ଏହା ଉପରେ ତାଙ୍କ ପତ୍ନୀ କହିଛନ୍ତି ଯେ, ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ କୌଣସି ବିବାଦ ବିନା ପୁରସ୍କାରର ପ୍ରଥମ କିସ୍ତି ଦିଆଯାଇଥିଲା । କିନ୍ତୁ ଏବେ କାହିଁକି ଏପରି ପ୍ରଶ୍ନ ଉଠୁଛି? ଜଷ୍ଟିସ୍ ନିତିନ ଜାମଦାର ଏବଂ ଅଭୟ ଆହୁଜାଙ୍କ ଏକ ବେଞ୍ଚ କହିଛି ଯେ, ଯେତେବେଳେ ପ୍ରଶାସନ ଏହା ସ୍ୱୀକାର କରିଥିଲା ଯେ ଆବେଦନକାରୀଙ୍କ ସ୍ୱାମୀ (ସୂଚନାଦାତା) ଙ୍କୁ ପ୍ରାରମ୍ଭିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା, ତେବେ ସେଥିରୁ ପ୍ରମାଣିତ ହୋଇଛି ଯେ ତାଙ୍କ ପତ୍ନୀ ଅବଶିଷ୍ଟ ପରିମାଣର ଅସଲି ହକଦାର୍ ।