ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ବୋରିସ ଜନସନ; ଜଳବାୟୁ ପରିବର୍ତ୍ତନ, ଆଫଗାନିସ୍ତାନ ସହ ଅନ୍ୟ ବିଷୟ ଉପରେ କଲେ ଆଲୋଚନା
ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଫୋନରେ ହୋଇଥିବା ଚର୍ଚ୍ଚାରେ ୟୁକେ-ଭାରତ ମଧ୍ୟରେ ସମ୍ପର୍କ ଏବଂ ୨୦୩୦ର ରୋଡମ୍ୟାପକୁ ବିଷୟରେ ଆଲୋଚନା ହୋଇଛି । ଗତ ମେ ମାସରେ ପ୍ରଧାନମନ୍ତ୍ରୀ ଏବଂ ବୋରିସ ଜନସନ ୨୦୩୦ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ ଯେଉଁଥିରେ ବାଣିଜ୍ୟ, ରକ୍ଷା କ୍ଷେତ୍ରକୁ ମଜବୁତ କରିବା ଭଳି ବିଷୟ ସାମିଲ ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀ ବୋରିସ ଜନସନଙ୍କ ସହ କଥା ହେବାପରେ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭାରତ-ୟୁକେ ଏଜେଣ୍ଡା ୨୦୩୦ ଉପରେ ସମୀକ୍ଷା ହୋଇଛି । ଏହା ସହ ଗ୍ଲାସଗୋ ରେ ଆଗାମୀ ସିଓପି ଶିଖର ସମ୍ମୀଳନୀ-୨୬ରେ ଜଳବାୟୁ ପରିବର୍ତ୍ତନ ଉପରେ ନେବାକୁ ଯାଉଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଛି । ସେ ଟ୍ୱିଟରେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଆଫଗାନିସ୍ତାନ ସହ ଆଞ୍ଚଳିକ ସମସ୍ୟା ଉପରେ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି ।
ଆଲୋଚନାରେ ବ୍ରିଟେନ ଏହା ସ୍ୱୀକାର କରିଛି ଭାରତ ପ୍ରଥମରୁ ହିଁ ନବୀକରଣ ଉପରେ କାର୍ଯ୍ୟକରୁଛି ଏହା ଆଶା ମଧ୍ୟ ରହିଛି ରାଷ୍ଟ୍ରୀୟ ସ୍ତରରେ ଅଧିକ ଉଚ୍ଚାଭିଳାସୀ ଯୋଗଦାନ ସହ ଜଳବାୟୁ ପରିବର୍ତ୍ତନ ଉପରେ ଠୋସ ପଦକ୍ଷେପ ନିଆଯିବ । ବୋରିସ ଜନସନ ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ମହାମାରୀ କରୋନା ବିରୋଧରେ ଏକଜୁଟ ହୋଇ ଳଢ଼ିବା ଏବଂ ମହାମାରୀ ପରେ ଅନ୍ତର୍ଜାତୀୟ ଯାତ୍ରାକୁ ସାବଧାନର ସହ ଖୋଲିବା ପାଇଁ ଚର୍ଚ୍ଚା କରିଥିଲେ । ୟୁକେ ଦ୍ୱାରା ଭାରତୀୟ ଭାକ୍ସିନକୁ ମାନ୍ୟତା ଦୋବ ଉଭୟଙ୍କ ସମ୍ବନ୍ଧକୁ ମଜବୁତ କରିବ । ଉଭୟ ନେତା ଆଫଗାନିସ୍ତାନରେ ଲାଗିରହିଥିବା ସ୍ଥିତି ଉପରେ ମଧ୍ୟ କଥା ହୋଇଛନ୍ତି ।