fbpx

ଆଜିକାଲି ଖରାପ ଭିଡିଓ ଭାଇରାଲ କାହିଁକି ହେଉଛି? ଏଥିପାଇଁ ଦାୟୀ କିଏ ପୁଅ ନା ଝିଅ, ଗୋଟିଏ ଭୁଲ୍ ହିଁ ସବୁ ଅନର୍ଥର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଆମର ସମାଜ ଡିଜିଟାଲ ଆଡ଼କୁ ଗତି କରୁଥିବା ବେଳେ ପ୍ରତ୍ୟେକ କାର୍ଯ୍ୟ ପୂର୍ବାପେକ୍ଷା ଅଧିକ ସହଜସାଧ୍ୟ ହେବାରେ ଲାଗିଛି । ତେବେ ଇଣ୍ଟରନେଟ, ପ୍ରଯୁକ୍ତିବିଦ୍ୟାର ବିକାଶ ଯେତିକି ହେଉଛି ସେହି ଅନୁପାତରେ ଅନେକ କ୍ଷତିସାଧନ ମଧ୍ୟ ହେଉଛି । ବର୍ତ୍ତମାନ ସମୟରେ ମୋବାଇଲର ମାତ୍ରାଧିକ ବ୍ୟବହାର ଓ ଦୁରୂପଯୋଗ ହେବା କାରଣରୁ ଛୋଟ ପିଲାଙ୍କର ପାଠପଢ଼ାରେ ବ୍ୟାଘାତ ଘଟିବା ସହିତ ଅନେକ ଅନୈତିକ କଥା ସେମାନଙ୍କର ମାନସିକ ସ୍ଥିତିକୁ ବିଗାଡ଼ି ଦେଉଛି ।

ଆଜିକାଲିର ପୁଅ-ଝିଅଙ୍କ ରିଲେସନ ପ୍ରେମରୁ ଆରମ୍ଭ ହୋଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲରେ ସମାପ୍ତ ହେଉଛି । ଏହାଫଳରେ ଅଯଥାରେ ଦୁହିଁଙ୍କର କ୍ୟାରିୟର ବର୍ବାଦ ହେବା ସହିତ ଦୁଇ ପରିବାର ସମାଜ ଆଗରେ ନିନ୍ଦିତ ହେଉଛନ୍ତି । କେଉଁଠି ପୁଅ ଜେଲ ଯାଉଛି ତ ଆଉ କେଉଁଠି ଝିଅ ଆତ୍ମହତ୍ୟା କରୁଛି । ରିଲେସନଶିପରେ ବ୍ରେକଅପ ହେବା, ବିବାଦ ସୃଷ୍ଟି ହେବା କିଛି ବଡ଼ କଥା ନୁହେଁ । କିନ୍ତୁ ବ୍ୟକ୍ତିଗତ ଭିଡିଓ ଭାଇରାଲ କରିଦେବା, ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିବା, ହତ୍ୟା ଯୋଜନା କରିବା ଅତ୍ୟନ୍ତ ସ୍ପର୍ଶକାତର କଥା ।

ଗୋଟିଏ ପୁଅ ଗୋଟିଏ ଝିଅକୁ ହୃଦୟ ଦେଇ ଭଲ ପାଇ ଅଜସ୍ର ଅର୍ଥ ବର୍ବାଦ କରୁଛି । ଶେଷକୁ ସେ ଝିଅ ଅନ୍ୟ କାହାକୁ ବିବାହ କରିବା ଫଳରେ ବା ବ୍ରେକଅପ ହେବା ପରେ ପୁଅଟି ସହ୍ୟ କରିପାରୁ ନାହିଁ । ବାଧ୍ୟ ହୋଇ ସେ ନିଜେ ଆତ୍ମହତ୍ୟା କରୁଛି ବା ପ୍ରତିଶୋଧ ପରାୟଣ ହୋଇ ପୂର୍ବ ପ୍ରେମିକାର ପ୍ରାଇଭେଟ ଭିଡିଓ ଭାଇରାଲ କରିଦେଉଛି । ଭଲପାଇବା କଛି ଭୁଲ ନୁହେଁ, ମାତ୍ର ଅନ୍ୟ ଜଣଙ୍କର ପ୍ରାଇଭେଟ ଭିଡିଓ ଭାଇରାଲ କରିବା ଠିକ୍ ନୁହେଁ । ସମସ୍ତଙ୍କ ପରିବାର ଓ ମାଆ, ଭଉଣୀ ଅଛନ୍ତି । ଆମେ ବି ଗୋଟିଏ ସମାଜରେ ବସବାସ କରୁଛେ । ଏ କ୍ଷେତ୍ରରେ ପୁଅମାନେ ପ୍ରଥମେ ନିଜର ମନକୁ ବୁଝାଇବା ଦରକାର । ଖାଇବା, ପିଇବା ପରି ପ୍ରେମ ଜୀବନରେ କେବଳ ଗୋଟିଏ ଅଂଶ । ଏଥିପାଇଁ ଆମେ ଆମର ସର୍ବସ୍ୱ ତ୍ୟାଗ କରିଦେବା ବୋଧହୁଏ ବୋକାମି ଛଡ଼ା କିଛି ନୁହେଁ । ଆଜି ବି ଏପରି ଅନେକ ପୁଅ ଅଛନ୍ତି ଯେଉଁମାନେ ବାପା-ମା’ଙ୍କ ସ୍ୱପ୍ନ ପୂରଣ କରିବା ସହିତ ଭଲରେ ରହୁଛନ୍ତି ।

ସେହିପରି କିଛି ଝିଅ ପ୍ରେମରେ ବିଫଳତା ପରେ ନିଜର ଜୀବନ ହାରିଦେଉଛନ୍ତି । ଅନେକ ପୁଅ, ଝିଅ ରିଲେସନଶିପକୁ କେବଳ ଟାଇପ ପାସ ଭାବୁଛନ୍ତି । ସବୁ ପୁଅ ସମାନ ନୁହନ୍ତି କି ସବୁ ଝିଅ ସମାନ ନୁହନ୍ତି, ଏହାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ । ଯେ କୌଣସି ସମ୍ପର୍କ ହେଉ, ଆମେ ଯଦି ନିଜର ପରିସୀମାକୁ ବୁଝିବା ତେବେ ଜୀବନରେ କେବେ ବି ସମସ୍ୟା ଆସିବ ନାହିଁ । ବିବାହ ପୂର୍ବରୁ ଅନେକ ପୁଅ, ଝିଅ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହିତ ଜାଣତରେ ହେଉ ବା ଅଜାଣତରେ ହେଉ ତାହାକୁ ରେକର୍ଡ କରୁଛନ୍ତି । ଏହି ଅନ୍ତରଙ୍ଗ ଭିଡିଓ ରେକର୍ଡ ହୋଇଥିବାରୁ ପରବର୍ତ୍ତୀ ସମୟରେ ତାହା ବ୍ଲାକମେଲର କାରଣ ପାଲଟୁଛି ।

ପୁଅ ହେଉ କି ଝିଅ, ଯଦି ଜଣଙ୍କ ପାଖରେ ଅନ୍ୟ ଜଣଙ୍କର କିଛି ସାଧାରଣ ଫଟୋ, ଭିଡିଓ ରହିଥିବ ତେବେ ତାହା ଦ୍ୱାରା କେହି ଲଜ୍ଜିତ ହେବେ ନାହିଁ । ଅଶ୍ଲୀଳ ଫଟୋ, ଭିଡିଓ ହିଁ ସବୁ ଅନର୍ଥର ମୂଳ କାରଣ । ପ୍ରେମ ଆକାଶରେ ଉଡ଼ି ବୁଲୁଥିବା ପକ୍ଷୀମାନେ ତଳକୁ ଖସିଲା ବେଳକୁ ନିଜକୁ ବି ଭୁଲି ଯାଉଛନ୍ତି । ପରେ ଭାବିଲା ସବୁକିଛି ସରିଯାଉଛି । ଏହାପରେ ଆରମ୍ଭ ହୁଏ ବିବାଦ । ଜଣେ ଅନ୍ୟ ଜଣଙ୍କ ପ୍ରତି ଦୋଷାରୋପ କରିବା ହିଁ କେବଳ ସାର ହୋଇଥାଏ । ତେଣୁ ଏ ଦିଗରେ ଉଭୟ ପୁଅ, ଝିଅମାନେ ସାବଧାନ ରହି ନିଜକୁ ନିଜେ ରକ୍ଷା କରିବା ଆବଶ୍ୟକ । ଖୁସିର ଆକାଶରେ ଉଡ଼ି ବୁଲିବା ପରେ ଆଜିର ଯୁବପୀଢ଼ି ସବୁକିଛି ଭୁଲି ଯାଉଛନ୍ତି । ମାତ୍ର ବିପଦ ଆସିଲା ପରେ ନ୍ୟାୟ ପାଇଁ ଥାନାକୁ ଦୌଡ଼ୁଛନ୍ତି । ପ୍ରେମ କରିବା ସମୟରେ ପିତାମାତାଙ୍କୁ ଯେଉଁମାନେ ଅବହେଳା କରନ୍ତି ସେମାନେ ବିପଦରେ ପଡ଼ିଲା ପରେ ଅନ୍ୟକୁ ଦାୟୀ କରିବା କେତେଦୂର ଠିକ୍? ତେଣୁ ଯେତେ ଖୁସିରେ ଜୀବନକୁ ଉପଭୋଗ କଲେ ବି ନିଜକୁ ସଂଜତ କରିବା ଆବଶ୍ୟକ ।

Get real time updates directly on you device, subscribe now.