Breaking- କଳକୀଙ୍କ ପୀଠରେ ଛାନଭିନ, ଅଧିକାରୀଙ୍କ ଭିଡ, ଆଶ୍ରମ କର୍ମଚାରୀଙ୍କ ନାହିଁ ଦେଖା

ଭୁବନେଶ୍ୱର- ତଥାକଥିତ କଳିଯୁଗର କଳକୀଙ୍କ ଆଶ୍ରମ ବୈକୁଣ୍ଠଧାମରେ ଆରମ୍ଭ ହୋଇଛି ଖୋଳତାଡ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରୁ ଆଜି ଆରମ୍ଭ ହେଲା ୮ ଜଣିଆ ଟିମର ଛାନଭିନ । ଆଶ୍ରମ ଜାଗାର ବୈଧତାକୁ ନେଇ ଯାଞ୍ଚ । ଆଶ୍ରମ ସରକାରୀ ନା ବେସରକାରୀ ଜାଗା ଉପରେ ନିର୍ମିତ ହୋଇଛି, ତାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ୮ ଜଣିଆ ଟିମ ପହଞ୍ଚି ବୈକୁଣ୍ଠଧାମ ଜମିର ମାପଚୁପ କରୁଛନ୍ତି । ଜମିଟି ସରକାରୀ ଜାଗା ଉପରେ ଅବୈଧ ନିର୍ମାଣ କରି ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳାଯାଉଥିବା ହୋଇଥିଲା ଅଭିଯୋଗ ।

ନାବାଳକଙ୍କୁ କଳ୍କୀ ରୂପରେ ପୂଜା କରିବା ସହ ତାଙ୍କ ପାଦ ତଳେ ତୁଳସୀ ଅର୍ପଣକୁ ନେଇ ଉଠିଥିବା ବିବାଦ ଉଗ୍ର ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ବିଡିଏ, ତହସିଲ ଓ ବିଏମସିର ୮ ଜଣ ଜାଗା ଉପରେ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଆଶ୍ରମ ସରକାରୀ ଜାଗା ଉପରେ ନିର୍ମିତ ନା ବେସରକାରୀ ଜାଗାରେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ଅଧିକାରୀମାନେ ପହଞ୍ଚି ଜାଗା ମାପଚୁପ କରୁଛନ୍ତି ।

ତେବେ ଏହି ବିବାଦ ଜଣେ ନାବାଳକ ବାବାଙ୍କ ପାଦରେ ତୁଳସୀ ଅର୍ପଣକୁ ନେଇ ଆରମ୍ଭ ହୋଇଥିଲା । ଏହା ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି କୁଠାରାଘାତ ବୋଲି ଇତିହାସ ବିଶାରଦ ଅଭିଯୋଗ କରିଥିଲେ । ବିଷ୍ଣୁଙ୍କ ମଥାରେ ତୁଳସୀ ପ୍ରଦାନ କରାଯାଉଛି ଓ ତୁଳସୀ ଏକ ପବିତ୍ର । ଏପରି ସ୍ଥିତିରେ ଜଣେ ଜୀବନ୍ତ ମଣିଷକୁ ତୁଳସୀ ଅର୍ପଣ, ତାହା ପୁଣି ପାଦ ତଳେ ଦେବାକୁ ବିରୋଧ କରାଯାଇଥିଲା । ପରେ ଏହି ପୀଠରେ ଥିବା ଶ୍ରଦ୍ଧାଳୁ ଓ କର୍ମଚାରୀ ନାବାଳକ ବାବାଙ୍କୁ କଳ୍କୀ ରୂପ କହିବା ସହ ସପକ୍ଷରେ ଯୁକ୍ତି ବାଢିଥିଲେ ।

କିନ୍ତୁ ଏହି ବିବାଦ ଆରମ୍ଭ ହେବା ପରେ ଆଉ ବାବାଙ୍କ ଦର୍ଶନ ମିଳିନଥିବା ବେଳେ ଏବେ ସେଠାରେ କର୍ମଚାରୀଙ୍କ ମଧ୍ୟ ଦେଖା ମିଳୁନାହିଁ ।