ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ଏକ ଭୟଙ୍କର ରୋଗ । ଭାରତରେ ୧୪ ପ୍ରତିଶତ ମହିଳାମାନେ ଏହି ରୋଗର ଶିକାର ହୋଇଥାନ୍ତି । ଦେଶର ଉଭୟ ଗ୍ରାମୀଣ ଓ ସହରାଞ୍ଚଳରେ ସ୍ତନ କର୍କଟ ବ୍ୟାପୁଥିବାର ଦେଖାଯାଉଛି । ଗତ ୨୦୧୮ ମସିହାରେ ଦେଶରେ ପାଖାପାଖି ୧.୬ ଲକ୍ଷ ମହିଳା ସ୍ତନ କର୍କଟରେ ସଂକ୍ରମିତ ହୋଇ ପଞ୍ଜିକୃତ ହୋଇଥିବା ବେଳେ ପାଖାପାଖି ୮୭ ହଜାର ମହିଳା ମୃତ୍ୟୁବରଣ କରିଥିବା ରିପୋର୍ଟରେ କୁହାଯାଇଛି ।
ତେବେ ସ୍ତନ କର୍କଟକୁ ନେଇ ଦୀର୍ଘବର୍ଷ ଧରି ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ପକ୍ଷରୁ ଗବେଷଣା କରାଯାଉଛି । କରୋନା ମହାମାରୀ କାରଣରୁ ଉକ୍ତ ଗବେଷଣା ବାଧାପ୍ରାପ୍ତ ହୋଇଥିଲା । ଏଣିକି ବିନା ଅସ୍ତ୍ରୋପଚାରରେ ସ୍ତନ କର୍କଟ ରୋଗୀ ସୁସ୍ଥ ହୋଇ ପାରିବେ । ଆଇଏଲଏସର ଓଡ଼ିଆ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର ଗବେଷଣା କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ସ୍ତନ କର୍କଟର ପ୍ରମୁଖ କାରଣ ଜିପିଆର ୱାନ ଫର ୱାନ ଅଣୁକୁ ନିଷ୍କ୍ରିୟ କରାଗଲେ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ରୋଗୀ ସୁସ୍ଥ ହୋଇ ପାରିବେ ।
ଚିପ୍ କ୍ଲୋନିଂ ଜରିଆରେ ଶରୀରର ବିଭିନ୍ନ ଅଣୁକୁ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି । ଏହି ପଦ୍ଧତିରେ ଦୁଟି ଅଣୁକୁ ଚିହ୍ନଟ କରାଯାଇଥିବା ବେଳେ ସେଗୁଡ଼ିକ ହେଉଛି ବିସିଏସ-୨ ଓ ଏଫଏଏସଟି । ଗୋଟିଏ ଟ୍ୟୁମର ବଢ଼ାଉଥିବା ବେଳେ ଅନ୍ୟଟି ହ୍ରାସ କରିଥାଏ । ରୋଗକୁ ପ୍ରାଥମିକ ସ୍ତରରୁ ଚିହ୍ନଟ କରାଯାଇ ପାରିଲେ କର୍କଟକୁ ଶରୀରର ଅନ୍ୟ ଅଂଶକୁ ବ୍ୟାପିବାରୁ ରୋକିହେବ । କମ୍ବିନେଟୋରିଆଲ ଥେରାପି ଜରିଆରେ ସ୍ତନ କର୍କଟ ରୋଗୀ ଆରୋଗ୍ୟ ଲାଭ କରୁଛନ୍ତି । ଶରୀରରେ କିଛି ମାଂଶପେଶୀ ଶକ୍ତ ଅନୁଭବ ହେଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ଆଗାମୀ ଦିନରେ ଆଇଏଏଲଏସର ବୈଜ୍ଞାନିକମାନେ ସ୍ତନ କର୍କଟ ନିୟନ୍ତ୍ରଣ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିବେ । ସାଧାରଣ ଭାବେ ୫୫ ବର୍ଷରୁ ଅଧିକ ବୟସ୍କଙ୍କଠାରେ ସ୍ତନ କର୍କଟର ଆଶଙ୍କା ଅଧିକ ଥାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଏହା ବେଶି ଦେଖାଯାଏ । ଫ୍ୟାମିଲି ହିଷ୍ଟ୍ରି ଓ ଜେନେଟିକ୍ସ, ଧୂମ୍ରପାନ, ମଦ୍ୟପାନ, ମେଦବହୁଳତା, ହରମୋନ କାରଣରୁ ସ୍ତନ କର୍କଟ ହୋଇଥାଏ ।