ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଅପରାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଆଗାମୀ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୬ ହଜାର ୪୯୭ କୋଟି ୮୯ ଲକ୍ଷ ୨୮ ହଜାର ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଶିକ୍ଷା, କୃଷି ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଛି । ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଅର୍ଥମନ୍ତ୍ରୀ ଆଲୋକପାତ କରିଛନ୍ତି । କରୋନା ପରେ ରାଜ୍ୟ ଅର୍ଥନୀତିରେ ସ୍ୱାଭାବିକ ସ୍ଥିତି ଫେରି ଆସିଥିବାବେଳେ ବଜେଟରେ ବ୍ୟୟବରାଦ ବୃଦ୍ଧି ପାଇଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଟଙ୍କିକିଆ ଚାଉଳ ଭଳି ସାମାଜିକ ସୁରକ୍ଷା ଯୋଜନା ସହ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱାରୋପ କରାଯାଇଛି । ରାଜ୍ୟର ଅର୍ଥନୀତି ଜାତୀୟ ହାରଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧି ୯ରୁ ୯.୫ ପ୍ରତିଶତ ହେବବୋଲି ଆକଳନ କରାଯାଇଛି । ପ୍ରତିକୂଳ ପରିସ୍ଥିତି ସତ୍ୱେ ରାଜ୍ୟର ଅର୍ଥନୀତି ବୃଦ୍ଧି ପାଇବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।